ମମିତା ମେହେର ହତ୍ୟା ମାମଲା : ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା
ସୋନପୁର : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲା ଦିନକୁ ଦିନ ବେଶ ପ୍ରଭାବିତ ହେବାରେ ଲାଗିଛି। ହତ୍ୟା ଓ ମହାଲିଙ୍ଗ କଲେଜରେ ଚାଲିଥିବା ଯୌନ କାରବାର ଏବଂ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦିଆଯାଇଛି । କେବଳ ଏତିକି ନୁହେଁ ଏହି ଘଟଣାରେ ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ସୋମବାର ସୁବର୍ଣ୍ଣପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଲିଛି । ଫଳରେ ବିଭିନ୍ନ ଦୋକାନ ବନ୍ଦ ରହିଛି ଏବଂ ଗାଡ଼ି ମଟର ଚଳାଚଳ ଏକ ପ୍ରକାର ଠପ୍ ହୋଇପଡ଼ିଛି । ବିଜେପି କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଛନ୍ତି । ବୀରମହାରାଜପୁର ମୁଖ୍ୟ ଛକ ରାସ୍ତାରେ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରେଢ଼ାଖୋଲ-ସୋନପୁର ରାସ୍ତା ଗାଡି ମଟର ଚଳାଚଳ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
