ଟିକା ଉତ୍ପାଦନକାରୀ କମ୍ପାନୀ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୋଭିଡ୍ ପ୍ରତିଷେଧକ ଟିକା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସହ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତା ସମୟରେ ପ୍ରତିଷେଧକ ଟିକା ଉତ୍ପାଦନ ଅଭିଜ୍ଞତା ଓ ଗବେଷଣାକୁ ଆଗେଇ ନେବା ବିଷୟରେ ଆଲୋଚନା କରାଯାଇଛି ।
୧୦୦ କୋଟି ଟିକା ମାଇଲଖୁଣ୍ଟ ଅତିକ୍ରମ କରିବାର ଦୁଇଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଟିକା ଉତ୍ପାଦନ କରୁଥିବା କମ୍ପାନିର ମୁଖ୍ୟମାନଙ୍କୁ ଭେଟିଛନ୍ତି । ବୈଠକରେ ଯୋଗ ଦେଇଥିବା କମ୍ପାନିମାନେ ହେଲେ ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ, ଡ.ରେଡ୍ଡିସ ଲାବରୋଟୋରୀ, ଜାଇଡସ କାଡିଲା, ବାୟୋଲଜିକାଲ-ଇ, ଜେନୋଭା ବାୟୋଫାର୍ମା ଓ ପାନାସି ବାୟୋଟେକ୍ । ଏହି ବୈଠକରେ ମୋଦୀ ଦେଶରେ ଟିକା ଗବେଷଣାକୁ ଆହୁରି ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଏହି ବୈଠକ ପରେ ସିରମ ଇନଷ୍ଟିଚ୍ୟୁଟର ଆଦର ପୁନାଓ୍ବାଲା କହିଛନ୍ତି ଯେ ସମଗ୍ର ବିଶ୍ବ ଏବେ ଟିକା ପାଇଁ ଭାରତ ଉପରେ ନିର୍ଭରଶୀଳ ଅଛି । ଭାରତ ମାନବତାର ରକ୍ଷା ପାଇଁ ଆମେ ସହାୟତା ଜାରି ରଖିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ଟିକା ଗୁଡ଼ିକ ଡେଲଟା ଭାରିଆଣ୍ଟ ବିରୋଧରେ ଭଲ କାମ କରୁଛି । ଭାରତ ବାୟୋଟେକର ସିଇଓ କ୍ରିଷ୍ଣା ଏଲା କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେବାକୁ ନେଇ ସେ ଆଶାବାଦୀ ଅଛନ୍ତି । ଗତ ୨୧ ତାରିଖରେ ଭାରତ ୧୦୦ କୋଟି ମାତ୍ରା ଟିକା ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ଦେଶରେ ଏବେ ୩ଟି କରୋନା ଟିକା ଦିଆଯାଉଛି । ସେଗୁଡ଼ିକ ହେଲେ ଭାରତ ବାୟୋଟେକର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଓ ଡ.ରେଡ୍ଡିସ ଦ୍ବାରା ଉତ୍ପାଦନ ହେଉଥିବା ଋଷୀୟ ସ୍ପୁଟନିକ-ଭି ।
