ପତ୍ନୀହନ୍ତାକୁ ଆଜୀବନ ଜେଲ୍
ବାରିପଦା : ପତ୍ନୀହନ୍ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଜିତୁ ଲୋହାରକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସେସନ୍ କୋର୍ଟ ଜଜ୍ । ଏଥିସହିତ ଆସାମୀକୁ ୫ହଜାର ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି ବିଚାରପତି।
ସୂଚନା ଯେ, ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗିରିଶଚନ୍ଦ୍ରପୁର ଗ୍ରାମରେ ୨୮ ସେପ୍ଟେମ୍ବର, ୨୦୧୬ ରାତିରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା। ସେହି ରାତିରେ ଉକ୍ତ ଗ୍ରାମର ଜିତୁ ଲୁହାର ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା। ଅଭିଯୁକ୍ତ ଜିତୁ ତା’ର ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲା। ଅଧିକାଂଶ ଦିନ ଉଭୟଙ୍କ ମଧ୍ୟରେ ପାଣିତୁଣ୍ଡ ହେଉଥିଲା। ଘଟଣା ଦିନ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ପଡ଼ୋଶୀମାନେ ପୁଲିସ୍ ଆଗରେ କହିଥିଲେ। ବଚସା ହେବା ସହିତ ଉତ୍ତ୍ୟକ୍ତ ହୋଇ ଘଟଣା ଦିନ ରାତିରେ ଜିତୁ ଏକ ଧାରୁଆ କଟୁରୀରେ ନିଜ ପତ୍ନୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା। ଏପରିକି ଶରୀରରୁ ଅଲଗା କରିଦେଇଥିବା ମୁଣ୍ଡକୁ ନେଇ ଜିତୁ ଠାକୁର ଘରେ ରଖିଦେଇଥିଲା। ରାତିରେ ତା’ ଘରୁ ପାଟିତୁଣ୍ଡ ଶୁଣି ପାଖ ପଡ଼ୋଶୀ ଯାଇ ଦେଖିବାରୁ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଅଭିଯୁକ୍ତ ମଧ୍ୟ ନିଜ ସ୍ତ୍ରୀ’କୁ ହତ୍ୟା କରିଥିବା ମାନିଯାଇଥିଲା। ଏନେଇ ପାଖ ପଡ଼ୋଶୀଙ୍କ ପକ୍ଷରୁ ପରଦିନ ଖୁଣ୍ଟା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ହତ୍ୟା ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର୍(ପିପି) ସସ୍ମିତା ମହାପାତ୍ର ମାମଲା ପରିଚାଳନା କରୁଥିଲେ।
