ଟି-୨୦ ବିଶ୍ୱକପ : ଆସନ୍ତାକାଲି ପାକିସ୍ତାନକୁ ଭେଟିବ ଭାରତ
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପର ମହାମୁକାବିଲା ଆସନ୍ତାକାଲି ହେବ। ଏହି ମ୍ୟାଚ ପାଇଁ ଭାରତୀୟ ଟିମ ନିଜର ପ୍ରସ୍ତୁତି ପୂରା କରିଛି। ୱାର୍ମ-ଅପ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଭଲ ପ୍ରଦର୍ଶନ ସତ୍ତ୍ବେ ଚୂଡାନ୍ତ ଏକାଦଶରେ କିଛି ଖେଳାଳିଙ୍କୁ ସ୍ଥାନ ମିଳିନପାରେ। ଏଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ଚିନ୍ତା ବଢ଼ିଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶ ଏକ ପ୍ରକାର ପ୍ରସ୍ତୁତି ହୋଇଛି। କିନ୍ତୁ ୪ ନମ୍ବର ପାଇଁ ୨ ଜଣ ଖେଳାଳି ଥିବାରୁ କୋହଲିଙ୍କ ଚିନ୍ତା ବଢ଼ିଛି। ଏହି ୨ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନ। କିନ୍ତୁ ଉଭୟ ଖେଳାଳି ନିକଟରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ବିରାଟ କୋହଲିଙ୍କ ନିକଟରେ ପ୍ରଶ୍ନ ରହିବ ଯେ, କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଗଲେ ଭଲ ହେବ।
ଭାରତ ଟି-୨୦ ବିଶ୍ଵ କପ୍ରେ ସୁପର ୧୨ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବ୍ୟତୀତ ଅନ୍ୟ ଦୁଇ ଦଳ ସହ ମୁକାବିଲା କରିବ। ଭାରତ ଅକ୍ଟୋବର ୨୪ରେ ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୩୧ରେ ଦୁବାଇରେ ନ୍ୟୁଜିଲାଣ୍ଡ ବିରୋଧରେ, ନଭେମ୍ବର ୩ରେ ଆବୁଧାବିରେ ଆଫଗାନିସ୍ତାନର ମୁକାବିଲା କରିବ ଭାରତ। ଏହି ତିନି ମ୍ୟାଚ୍ ପରେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନଭେମ୍ବର ୫ରେ ଗ୍ରୁପ ବିର ଶୀର୍ଷରେ ଥିବା ଦଳ ସହ ମୁକାବିଲା କରିବ। ଆଉ ଏହି ଦଳ ହେଉଛି ସ୍କଟଲାଣ୍ଡ। ଯୋଗ୍ୟତାପର୍ଯ୍ୟାୟର ସମସ୍ତ ମୁକାବିଲା ଜିତି ଗ୍ରୁପ ବିରେ ସ୍କଟଲାଣ୍ଡ ଶୀର୍ଷରେ ରହିଛି। ଏହା ପରେ ନଭେମ୍ବର ୮ରେ ଗ୍ରୁପ ଏର ଦ୍ଵିତୀୟ ସ୍ଥାନରେ ଥିବା ନାମ୍ବିଆଙ୍କୁ ଭେଟିବ ଭାରତ। ସୂଚନା ଯେ, ଈଶାନ କିଶନଙ୍କୁ ଏକ ରିଜର୍ଭ ଓପନର ଭାବେ ଶିଖର ଧୱନଙ୍କ ସ୍ଥାନରେ ଟି-୨୦ ବିଶ୍ବକପରେ ଚୟନ କରାଯାଇଥିଲା। ପ୍ରଥମ ୱାର୍ମ-ଅପ ମ୍ୟାଚରେ ଈଶାନ ଭଲ ଖେଳିଥିଲେ। କିନ୍ତୁ ତାଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସ୍ଥାନ ମିଳିବା ସୁନିଶ୍ଚିତ ହୋଇପାରୁ ନାହିଁ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪୬ଟି ବଲ ଖେଳି ୭୦ ରନ କରିଥିଲେ। ଏଥିରେ ୭ ଚୌକା ଓ ୩ ଛକା ସାମିଲ ଥିଲା। ସୂର୍ଯ୍ୟକୁମାର ଯାଦବ ମଧ୍ୟକ୍ରମରେ ଭଲ ଖେଳିପାରିବାର ଦକ୍ଷତା ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ଅପରାଜିତ ୩୮ ରନ୍ କରିଥିଲେ।
