ଡାକ୍ତରଖାନାରେ ରାଣୀ ଏଲିଜାବେଥ ଦ୍ୱିତୀୟ, ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ପୁଣି ଫେରିଲେ
ଲଣ୍ଡନ : ଡାକ୍ତରମାନଙ୍କ ପରାମର୍ଶକ୍ରମେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୋଟିଏ ରାତି ଡାକ୍ତରଖାନାରେ ରହିଥିଲେ । ଏନେଇ ବକିଂହାମ ରାଜପ୍ରାସାଦ ପକ୍ଷରୁ ଏହା କୁହାଯାଇଛି । ଏଥିସହିତ ଚଳିତ ସପ୍ତାହରେ ରାଣୀଙ୍କର ଉତ୍ତର ଆୟର୍ଲାଣ୍ଡ ଗସ୍ତକୁ ମଧ୍ୟ ବାତିଲ କରାଯାଇଥିବା ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜପ୍ରାସାଦ ପକ୍ଷରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଡାକ୍ତରମାନେ ରାଣୀଙ୍କୁ କିଛିଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ବୁଧବାର ଅପରାହ୍ଣରେ ରାଣୀ ଡାକ୍ତରଖାନା ଯିବାପରେ ସେଠାରେ ତାଙ୍କର କେତେକ ପ୍ରାଥମିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହାପରେ ରାଣୀ ଗୁରୁବାର ରାଜପ୍ରାସାଦକୁ ଫେରିଆସିଥିଲେ । ସମ୍ପ୍ରତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ରାଣୀ ଏଲିଜାବେଥ ଦ୍ୱିତୀୟ ଡାକ୍ତରଖାନାକୁ ଯିବା ତାଙ୍କ କାର୍ଯ୍ୟସୂଚୀରେ ନଥିଲା ଏବଂ ସେ ସେଠାରେ କମ୍ ସମୟ ରହିବା ଆଶା କରାଯାଉଥିଲା । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେଠାରେ ସେ ରହିବା ପରେ ତାହା ତାଙ୍କର ଗୋପନୀୟତା ସୁରକ୍ଷିତ ରଖିବା ଉଦ୍ଧେଶ୍ୟରେ ବାହାରେ ପ୍ରକାଶ କରାଯାଇନଥିଲା । ବ୍ରିଟେନ ରାଜଗାଦିରେ ଏପର୍ଯ୍ୟନ୍ତ ସର୍ବାଧିକ କାଳ ଅଧିଷ୍ଠିତ ହୋଇଥିବା ରାଣୀ ଏଲଜିବେଥ ଦ୍ୱିତୀୟ ୧୯୫୨ରୁ ରାଜ ପରମ୍ପରାର ମୁଖ୍ୟ ରହିଛନ୍ତି ।
