କଂଗ୍ରେସ ଛାଡ଼ିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
- କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର
ଭୁୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ନବରଂଗପୁରରୁ ପାର୍ଟୀର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଜଣା ପଡିଛି ।
ସେ ଏହି ପତ୍ରରେ କହିଛନ୍ତି ଯେ, ଅତ୍ୟନ୍ତ କଷ୍ଟ ଓ ଦୁଃଖର ସହିତ ସେ ଏଭଳି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି । କଂଗ୍ରେସରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଉଲ୍ଲେଖ କରିଛନ୍ତି । ସାଧାରଣ ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ସେ କଂଗ୍ରେସରେ ଯୋଗଦେଇଥିଲେ । ଦଳ ମଧ୍ୟ ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇଛି ଏବଂ ତାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଉଚ୍ଚ ସ୍ଥାନ ପ୍ରଦାନ କରିଛି । ସେ ଦଳ ମଧ୍ୟରେ ଏବଂ ସାଧାରଣ ଲୋକଙ୍କ ଠାରୁ ଯଥେଷ୍ଟ ଭଲପାଇବା ଓ ସମ୍ମାନ ପାଇଚନ୍ତି । କଂଗ୍ରେସର ନେତୃତ୍ୱଙ୍କ ଦ୍ୱାରା ଦଳ ଅତ୍ୟନ୍ତ ଭଲ ଭାବରେ ପରିଚାଳିତ ହେଉଥିଲା, କିନ୍ତୁ ଦଳୀୟ ନିୟମ ମାନୁନଥିବା କିଛି ବ୍ୟକ୍ତି ଦଳର ବିଭିନ୍ନ ସ୍ତରରେ ପଦବୀଗୁଡିକୁ ମାଡିବସିବା ଦ୍ୱାରା ଦଳର ସାଂଗଠନିକ ସ୍ଥିତିରେ କ୍ରମଶଃ ହ୍ରାସ ଘଟିଛି ଏବଂ ସଂପ୍ରତି ଦଳ ପ୍ରାୟତଃ ନିଜର ଭରସାଯୋଗ୍ୟତା ହରାଇ ବସିଛି, ଯାହା ଫେରାଇ ଆଣିବାକୁ ହୁଏତ ଦୀର୍ଘ ସମୟ ଲାଗିପାରେ । ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି ଏବଂ କଂଗ୍ରେସର ଆଦର୍ଶକୁ ଅନୁସରଣ କରି ଲୋକଙ୍କର ସେବା କରିବେ । ଏହି ଚିଠିର ନକଲ ସେ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଚେଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁଙ୍କ ନିକଟକୁ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଦୀପ ମାଝି କଂଗ୍ରେସ ଛାଡିବା ସହିତ ବିଜେଡିରେ ଯୋଗଦେବା ନେଇ ବେଶ୍ କିଛିଦିନ ହେଲା ଚର୍ଚ୍ଚା ଚାଲିଥିଲା ।
