କରୋନା ଟିକାର ମାଇଲ୍ଖୁଂଟ : ଦେଶରେ ୧୦୦ କୋଟି ଟପିଲା ଟିକାକରଣ
ନୂଆଦିଲ୍ଲୀ : ଇତିହାସ ରଚିଲା ଭାରତ। ଦେଶରେ ଟିକାକରଣ ୧୦୦ କୋଟି ଛୁଇଁଛି । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି। ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ! ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ।
ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିକେ ପଲ ୧୦୦ କୋଟି ଟିକାକରଣକୁ ନେଇ କହିଛନ୍ତି ଯେ, ଭାରତବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା । ଭାରତ ଟିକାକରଣ ଆରମ୍ଭ ହେବାର ମାତ୍ର ୯ ମାସରେ ଏହି ଉପଲବ୍ଧି ହାସଲ କରିଛି । କୌଣସି ରାଷ୍ଟ୍ରପାଇଁ ୧ ବିଲିୟନ ଡୋଜ୍ ଉଲ୍ଲେଖନୀୟ ଅଟେ । ଏହି ଅବସରରେ ଲାଲକିଲ୍ଲାରେ ସବୁଠାରୁ ବଡ ତ୍ରିରଙ୍ଗା ଉଡିବ । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡେଭ୍ୟ ଥିମ୍ ସଙ୍ଗ୍ ଲଞ୍ଚ୍ କରିବେ । ରେଳଷ୍ଟେସନ ସହ ମେଟ୍ରୋ ଷ୍ଟେସନ ଭଳି ସାର୍ବାଜନୈକ ସ୍ଥାନରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, କରୋନା ଗାଇଡଲାଇନ ଜନତା ଠିକ୍ ଭାବେ ପାଳନ କରିଛନ୍ତି । ଜନତାଙ୍କ ଇଚ୍ଛାଶକ୍ତି, ଆତ୍ମଶକ୍ତି ଓ ବିଶ୍ୱାସ କାରଣରୁ ଦେଶରେ ୧୦୦ କୋଟି ଟିକାକରଣ ହୋଇପାରିଛି । ଅନ୍ୟପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ ‘ହୁ’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା। ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ବୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ। ସୂଚନା ଯେ, ଦେଶରେ ଟିକାକରଣ ଅଭିଯାନ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୭୪.୯ ପ୍ରତିଶତ ପ୍ରାପ୍ତ ବୟସ୍କ ଅତିକମରେ ଗୋଟିଏ ଡୋଜ୍ ନେଇଛନ୍ତି । ସେହିପରି ୩୦.୯ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।
