ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ଭୋପାଳ : ପୁଣି ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଭିଣ୍ଡ ଜିଲା ନିକଟରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ପରେ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଥିଲେ ବି ଆହତ ହୋଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦୁର୍ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଏକ ଖୋଲା ପଡ଼ିଆରେ ବିମାନଟି ଖସିପଡ଼ିଥିବା ଦେଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଜଳିଯାଇଛି ।
ସୂଚନା ଯେ, ଏହା ପୂର୍ବରୁ ଅଗଷ୍ଟ ୩ ଏବଂ ଅଗଷ୍ଟ ୨୫ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା। ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଅଗଷ୍ଟ ୨୫ରେ ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଥିଲେ ।
