ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ : ପୋଲିସ୍ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ ହସିନା ବିବି
ବାଲେଶ୍ୱର : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ । ପୋଲିସ୍ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ହାଇଦରର ପତ୍ନୀ ହସିନା ବିବି। ଏହି ଅଭିଯୋଗ ଆଣି ସେ ବାଲେଶ୍ୱର ଜିଲା ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ୧୭ ଜଣଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ହସିନା ବିବି କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଛି ପୋଲିସ। ଗତ ଜୁଲାଇ ୨୪ ତାରିଖରେ ପୋଲିସ ଏନ୍କାଉଣ୍ଟର କରିଥିଲା । ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖସି ପଳାଇବାକୁ ହାଇଦର ଉଦ୍ୟମ କରିବାରୁ ତାକୁ ଏନ୍କାଉଣ୍ଟର କରିଥିବା ପୋଲିସ କହିଥିଲା।
ସୂଚନା ଯେ, ହାଇଦରକୁ ଚୌଦ୍ୱାର ଜେଲ୍ରୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଉଥିଲା। ତାଙ୍କୁ କଡ଼ ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଥିଲା। ତେବେ ଗଲା ବେଳେ ପରିସ୍ରା ଲାଗୁଛି ବୋଲି ହାଇଦର କରିଥିଲା। ଏହା ପରେ ଜାତୀୟ ରାଜପଥର ସିମୁଳିଆ ଥାନା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ପୁଲିସ ଗାଡ଼ି ଅଟକାଇଥିଲା। ପରିସ୍ରା କରିବା ପରିବର୍ତ୍ତେ ହାଇଦର ପୁଲିସଠାରୁ ବନ୍ଧୁକ ଛଡ଼ାରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ପୁଲିସ ତା’ ଉପରକୁ ଗୁଳି ଚଳାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ପରେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।
