ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଚିଠି
ଭୁବନେଶ୍ୱର : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ କହିଛନ୍ତି । ଏଥିସହ ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ । ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ । ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଦେବାକୁ କହିଲେ ଘଉଡ ଅଧ୍ୟକ୍ଷା । ନିର୍ଦ୍ଦିଷ୍ଟ ସମୟରେ ତଦନ୍ତ ସାରି ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।
ସୂଚନା ଯେ, ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ବଲାଙ୍ଗୀର ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । ଗୋବିନ୍ଦକୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା । ଗୋବିନ୍ଦକୁୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
