୨୩ ସୁଦ୍ଧା ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
- ୨୨ରୁ ଅନୁଭୂତ ହେବ ହାଲୁକା ଶୀତ
ଭୁବନେଶ୍ୱର : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି। ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ବିଦାୟ ନେଇଯିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି।
#Weather briefing by #Head & Scientist-E Dr. H.R. Biswas for next five days, based on 0830 Hrs IST observation of #20th October 2021.https://t.co/pWwzCIXnNI pic.twitter.com/1eNXCxqGU5
— Meteorological Centre, Bhubaneswar (@mcbbsr) October 20, 2021
ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଦୁଇଟି ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୫ଦିନ ଧରି ବର୍ଷା ଲାଗି ରହିବା ପରେ ରାଜ୍ୟ ଉପରେ ଏବେ ଆଉ ବର୍ଷାର ପ୍ରଭାବ ନାହିଁ। ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତର ଜିଲ୍ଲାର କାଁ ଭାଁ ସ୍ଥାନରେ ପାଗ ମେଘୁଆ ରହିଛି। ଏବଂ କିଛି ସ୍ଥାନରେ ସାମାନ୍ୟରୁ ହାଲୁକା ବର୍ଷା ମଧ୍ୟ ହୋଇପାରେ। ତେବେ, ଆସନ୍ତାକାଲି ଠାରୁ ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଗଞ୍ଜାମ ଓ ଗଜପତିରେ ୨୫ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ ରାଜ୍ୟର ତାପମାତ୍ରା ମଧ୍ୟ ଧୀରେଧୀରେ କମିବା ଆରମ୍ଭ କରିବ। ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ। ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ। ୨୬ ରୁ ୨୮ ତାରଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ। ତେବେ ୨୨ ତାରିଖରୁ ରାଜ୍ୟର ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ।
