ଅକ୍ଟୋବର ଓ ନଭେମ୍ବର ପାଇଁ ବିଏମସିର ପୂଜା ଗାଇଡଲାଇନ୍
ଭୁବନେଶ୍ୱର : ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ପୂଜା ଗାଇଡ୍ ଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏହି ଦୁଇ ମାସରେ ପଡୁଥିବା ଲକ୍ଷ୍ମୀପୂଜା , କାଳୀ ପୂଜା ଓ କାର୍ତିକ ପୂର୍ଣ୍ଣିମା ଆଦି ପାଇଁ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି । ବିଏମସି ଅଧୀନରେ ଥିବା ଅଂଚଳରେ ପୂଜା ଆୟୋଜନ ପାଇଁ କମିଶନରେଟ୍ ପୋଲିସ୍ ର ଅନୁମତି ନେବାକୁ ହେବ । ମଣ୍ଡପ ବା ପେଣ୍ଡାଲରେ ପୂଜା ହେଉଥିଲେ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ମଣ୍ଡପର ୩ ପଟ ବନ୍ଦ ରହିବ ଏବ ୪ର୍ଥ ପଟ ଆବଦ୍ଧ ରହିବ । ମୂର୍ତିର ଉଚ୍ଚତା ୪ ଫୁଟ୍ ରୁ କମ୍ ହେବ । ମଣ୍ଡପରେ ଏକ ସଙ୍ଗରେ ୭ ଜଣରୁ ଅଧିକଙ୍କୁ ପ୍ରବେଶ ଉପରେ କଟକଣା ରହିବ । ମୂର୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ ହୋଇପାରିବେ ।
ସେହିପରି କାର୍ତିକ ମାସରେ ମନ୍ଦିର ଭିତରେ ହବିଷ୍ୟାଳୀଙ୍କ କାର୍ତିକ ବ୍ରତ ଉପରେ ରୋକ୍ ଲଗାଯାଇଛି । କାର୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁସାଗର ଓ ଅନ୍ୟାନ୍ୟ ଜଳାଶୟରେ ଜନଗହଳି ନକରିବାକୁ କୁହାଯାଇଛି ।
