ରାଜ୍ୟରେ ଆଉ ୫୫୬ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୮୭ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ମଙ୍ଗଳବାର ୨୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୨୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୭ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୯୭୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୫ ଜଣ ଥିବାବେଳେ ବାଲେଶ୍ୱରରୁ ୧୦ଜଣ, ଭଦ୍ରକରୁ ୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୭ଜଣ, କଟକରୁ ୪୧ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୧୧ଜଣ, ଯାଜପୁରରୁ ୧୧ଜଣ, ଝାରସୁଗୁଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩୦୫ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୫ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୮ଜଣ ଓ ରାଜ୍ୟ ପୁଲରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୫ହଜାର ୯୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୨୨ହଜାର ୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୮୪୬ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୧୧,୭୫,୪୭୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।
