ଟି-୨୦ ବିଶ୍ୱକପ୍ରେ ବୁମରା ଟିମ୍ ଇଣ୍ଡିଆର ଏକ୍ସ ଫ୍ୟାକ୍ଟର : ଗମ୍ଭୀର
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ନିଜର ଟି-୨୦ ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଦଳ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଆଜି ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ଭେଟିବ । ୨୦ ତାରିଖରେ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ମେଂଟର ଭୂମିକା ନିଭାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହା ମଧ୍ୟରେ ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ମତରେ ଅନୁଭବୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହି ଟୁର୍ଣ୍ଣାମେଂଟରେ ଟିମ୍ ଇଣ୍ଡିଆ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇ ପାରନ୍ତି ।
ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସ ଶୋରେ କହିଛନ୍ତି, ଧରି ନିଅନ୍ତୁ କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ବରୁଣ ଚକ୍ରବର୍ତୀ କିମ୍ବା ଆଉ କିଏ ଦଳ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି । ମାତ୍ର ଯଶପ୍ରୀତ ବୁମରା ସବୁଠୁ ବଡ ଏକ୍ସ ଫ୍ୟାକ୍ଟର । ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ବୁମରାଙ୍କୁ ଏକ୍ସ ଫ୍ୟାକ୍ଟର ଦର୍ଶାଇ କହିଛନ୍ତି, ବରୁଣ ଚକ୍ରବର୍ତୀ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ । ସେ ଜଣେ ରହସ୍ୟଜନକ ବୋଲର ଏବଂ ଭଲ ଫର୍ମରେ ଅଛନ୍ତି । ମାତ୍ର ମୋ ହିସାବରେ ବୋଲିଂ ମାମଲାରେ କେବଳ ଜଣେ ହିଁ ଏକ୍ସ ଫ୍ୟାକ୍ଟର ହେଉଛନ୍ତି ଯଶପ୍ରୀତ ବୁମରା । କୌଣସି ଅନ୍ୟ ଦଲରେ ବୁମରାଙ୍କଠୁ ବଡ ଏକ୍ସ ଫ୍ୟାକ୍ଟର ହୋଇ ପାରିବେ ନାହିଁ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଭାବେ ଏହା ହେଉଛି ଶେଷ ଟି-୨୦ ବିଶ୍ୱ କପ୍ । ଏହା ପରେ କୋହଲି ଏହି ଫର୍ମାଟ୍ରେ ଦଳର ଆଉ ନେତୃତ୍ୱ ନେବେ ନାହିଁ । ତେଣୁ କୋହଲି ଟି-୨୦ ଟାଇଟଲ୍ ଜିତିବାକୁ ଚାହିଁବେ । ଦଳର ବାକି ସଦସ୍ୟ ମଧ୍ୟ ବିଶ୍ୱ କପ୍ ଜିତିବା ପାଇଁ ଲକ୍ଷ୍ୟ ରଖିଥିବେ । କାରଣ ଦୀର୍ଘ ୧୪ ବର୍ଷ ହେବ ଦଳ ଟି-୨୦ ବିଶ୍ୱ କପ୍ ଜିତିପାରି ନାହିଁ ବୋଲି ଗମ୍ଭୀର କହିଛନ୍ତି ।
