୪ ବଲ୍ରେ ୪ ୱିକେଟ୍ ନେଇ ଇତିହାସ ରଚିଲେ କର୍ଟିସ କାମ୍ପର
ଆବୁଧାବି : ଇତିହାସ ରଚିଲେ ଆୟରଲାଣ୍ଡର ଦ୍ରୁତ ବୋଲର କର୍ଟିସ କାମ୍ପର । ଟି-୨୦ ବିଶ୍ୱ କପରେ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ୪ ବଲ୍ରେ ୪ ୱିକେଟ୍ ନେଇ ବଡ ରେକର୍ଡ ନିଜ ନାମରେ କରିଛନ୍ତି କାମ୍ପର । ଟି-୨୦ ବିଶ୍ୱ କପ୍ରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ।
ଅନ୍ତର୍ଜାତୀୟ ଟି-୨୦ରେ ଲଗାତାର ଚାରି ୱିକେଟ୍ ନେବାରେ ସେ ହେଉଛନ୍ତି ତୃତୀୟ ବୋଲର । ଏହା ପୂର୍ବରୁ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଏବଂ ଆଫଗାନିସ୍ତାର ରଶିଦ ଖାନ ଏହି ସଫଳତା ହାସଲ କରି ସାରିଛନ୍ତି । ରଶିଦ ଆୟରଲାଣ୍ଡ ବିପକ୍ଷରେ ୨୦୧୯ରେ ଏବଂ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ରେ ଲଗାତାର ୪ ବଲ୍ରେ ୪ ୱିକେଟ୍ ନେଇଥିଲେ । ଟି-୨୦ ବିଶ୍ୱ କପରେ ହ୍ୟାଟ୍ରିକ ନେବାରେ ପ୍ରଥମ ବୋଲର ହେଉଛନ୍ତି ଅଷ୍ଟ୍ରେଲିଆର ବ୍ରେଟ୍ ଲି । ସେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ । କର୍ଟିସ କାମ୍ପର ଇନିଂସର ୧୦ମ ଓଭରରେ ଏହି ସଫଳତା ହାସଲ କରିଛନ୍ତି । ସେ ଦ୍ୱିତୀୟ ବଲ୍ରୁ ପଂଚମ ବଲ୍ ପର୍ଯ୍ୟନ୍ତ କର୍ଲିନ ଏକରମ୍ୟାନ(୧୧), ରିୟାନ ଟେନ୍ ଡୋଇଶେ(୦), ସ୍କଟ ଏଡୱାର୍ଡ୍ସ(୦) ଓ ରୟଲଫ ଭାନ ଡର ମରୱେ(୦)ଙ୍କୁ ଆଉଟ୍ କରିଛନ୍ତି । ସେ ଦୁଇ ଜଣଙ୍କୁ ଏଲବିଡବ୍ଲ୍ୟୁ କରିଥିବା ବେଳେ ଜଣଙ୍କୁ ବୋଲ୍ଡ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ହ୍ୟାଟ୍ରିକ ନେବାରେ ଆୟରଲାଣ୍ଡର ପ୍ରଥମ ବୋଲର ।
