ଟି-୨୦ ବିଶ୍ୱକପ୍ : ୭ ଉଇକେଟରେ ଜିତିଲା ଆୟର୍ଲ୍ୟାଣ୍ଡ
ଆବୁଧାବି : କର୍ଟିସ୍ କ୍ୟାମ୍ଫର ଓ ମାର୍କ ଆଡେରଙ୍କ ଘାତକ ବୋଲିଂ ବଳରେ ଆୟର୍ଲ୍ୟାଣ୍ଡ ୭ ୱିକେଟରେ ନେଦରଲ୍ୟାଣ୍ଡସକୁ ହରାଇ ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଛି । ସୋମବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ର ଏହି ମୁକାବିଲାରେ ନେଦରଲ୍ୟାଣ୍ଡସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୬ ରନ୍ କରି ଅଲଆଉଟ ହୋଇଥିଲା । ଜବାବରେ ଆୟର୍ଲ୍ୟାଣ୍ଡ୍ ୧୫.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୦୭ ରନ କରି ସହଜ ବିଜୟ ଲାଭ କରିଛି । ୪ ବଲରେ ୪ ୱିକେଟ୍ ନେଇ ବିଶ୍ୱ ରେକର୍ଡ କରିଥିବା ଆୟର୍ଲ୍ୟାଣ୍ଡର କ୍ୟାମ୍ଫର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୧୦୭ ରନର ଲକ୍ଷ୍ୟର ପିଛା କରୁଥିବା ଆୟର୍ଲ୍ୟାଣ୍ଡ ଆରମ୍ଭରୁ ଦୁଇଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଓପ୍ନର ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେଭିନ୍ ଓ’ ବ୍ରାଏନ୍ ମାତ୍ର ୯ ରନ୍ କରି ବ୍ରାଣ୍ଡନ୍ ଗ୍ଲୋଭରଙ୍କ ଶିକାର ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ ଆଣ୍ଡି ବାଲବିର୍ଣ୍ଣି (୮) ମଧ୍ୟ ନିରାଶ କରିଥିଲେ । ତେବେ ପଲ୍ ଷ୍ଟର୍ଲିଙ୍ଗ୍ ଓ ଗାରେଥ ଡେଲାନୀ ତୃତୀୟ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ି ଦଳର ବିଜୟକୁ ସହଜ କରିଥିଲେ । ଡେଲାନୀ ମାତ୍ର ୨୯ ବଲରେ ୫ ଚୌକା ଓ ୨ ଛକା ସହ ୪୪ ରନ୍ କରି ଆଉଟ୍ ହୋଇଥିଲେ । ଷ୍ଟର୍ଲିଙ୍ଗ୍ ୩୦ ଓ କ୍ୟାମ୍ଫର୍ ୭ ରନ୍ କରି ଅପରାଜିତ ଥିଲେ । ନେଦରଲ୍ୟାଣ୍ଡସର ଫ୍ରେଡ୍ କ୍ଲାସେନ୍, ଗ୍ଲୋଭର ଓ ପିଟର୍ ସୀଲାର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡର ଓପ୍ନର ମ୍ୟାକ୍ସ ଓ’ଡାଉଡଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ । ମ୍ୟାକ୍ସ ୪୭ ବଲରେ ୭ ଚୌକା ସହ ସର୍ବାଧିକ ୫୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ପିଟର୍ ସୀଲାର ୨୧, କଲିନ୍ ଆକରସନ୍ ୧୧ ଓ ଲୋଗାନ୍ ଭାନ୍ ବିକ୍ ୧୧ ରନ୍ କରିଥିଲେ । ଆୟର୍ଲ୍ୟାଣ୍ଡ ପକ୍ଷରୁ କ୍ୟାମ୍ଫର୍ ୨୬ ରନ୍ ଦେଇ ୪ଟି, ଆଡେର୍ ୯ ରନ୍ ଦେଇ ୩ଟି ଓ ଜୋଶ ଲିଟଲ୍ ଗୋଟିଏ ୱିକେଟ୍ ନେଇଥିଲେ ।
