ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୁରଭଞ୍ଜ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ୱର : ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମି ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର-ଓଡ଼ିଶା ଅଞ୍ଚଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଏହାର ପ୍ରଭାବରେ ଗତ କିଛି ଦିନ ଧରି ରାଜ୍ୟରେ ଚାଲିଥିବା ବର୍ଷା ଆଉ କିଛି ଦିନ ଜାରି ରହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଜିଲା ମୟୁରଭଞ୍ଜ, ବାଲେଶ୍ୱରର କିଛି ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲା ଲାଗି ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଏହାଛଡ଼ା ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଢେଙ୍କାନାଳ ଜିଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
