ଅଶୌଧିତ ତୈଳ ସଂକଟ : ଭାରତକୁ ଏତିକି ଆମେରିକୀୟ ଡଲାର ଉଧାର ମାଗିଲା ଶ୍ରୀଲଙ୍କା
କଲମ୍ବୋ : ଶ୍ରୀଲଙ୍କାରେ ବିଦେଶ ମୁଦ୍ରା ସଂକଟ ଦେଖା ଦେଇଛି । ଫଳରେ ଅଶୌଧିତ ତୈଳ କିଣିବା ପାଇଁ ଶ୍ରୀଲଙ୍କା ଭାରତକୁ ୫୦୦ ମିଲିୟନ ଆମେରିକା ଡଲାର ଉଧାର ମାଗିଛି । ଶ୍ରୀଲଙ୍କା ସରକାର ଭାରତ ସରକାରଙ୍କ ଠାରୁ ୫୦୦ ମିଲିୟନ ଆମେରିକୀୟ ଡଲାର ଉଧାର ମାଗିଛନ୍ତି । ଶ୍ରୀଲଙ୍କା ସରକାରୀ ପେଟ୍ରୋଲିୟମ କମ୍ପାନୀ ସିଲନ ପେଟ୍ରୋଲିୟମ କର୍ପୋରେସନର ଉପରେ ଦୁଇ ପ୍ରମୁଖ ସରକାରୀ ବ୍ୟାଙ୍କ- ବ୍ୟାଙ୍କ ଅଫ୍ ସୀଲୋନ୍ ଓ ପିପୁଲ୍ସ ବ୍ୟାଙ୍କର ପାଖାପାଖି ୩.୩ ଅରବ ଡଲାର ଋଣ ରହିଛି। ସୂଚନା ଯେ, ଏହାର କିଛିଦିନ ପୂର୍ବେ ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଉଦୟ ଗମ୍ମନପିଲା ଏନେଇ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ଶ୍ରୀଲଙ୍କାର ବର୍ତ୍ତମାନ ଗଚ୍ଛିତ ଇନ୍ଧନ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ଏହା ଜାନୁଆରୀ ପର୍ଯ୍ୟନ୍ତ ଇନ୍ଧନ ଯୋଗାଇ ପାରିବ। ତା ପରେ ସ୍ଥିତି ସଂକଟାପନ୍ନ ହେବ।
ଏନେଇ ସିପିସି ଅଧ୍ୟକ୍ଷ ସୁମୀତ ବିଜେସିଂଘ କହିଛନ୍ତି କେ, “ଆମେ ବର୍ତ୍ତମାନ ଭାରତ-ଶ୍ରୀଲଙ୍କା ଆର୍ଥିକ ବୁଝାମଣା ଦ୍ୱାରା ସୁବିଧା(୫୦୦ ମିଲିୟନ ଆମେରିକା ଡଲାର କ୍ରେଡିଟ୍ ଲାଇନ୍) ପାଇବା ପାଇଁ ଏଠାରେ ଭାରତତୀୟ ରାଷ୍ଟ୍ରଦୂତଙ୍କ ସହିତ ସମ୍ପର୍କରେ ରହିଛୁ।” ଭାରତ ଠାରୁ ସହଯୋଗ ମିଳିଲେ ଏହି ରାଶିକୁ ପେଟ୍ରୋଲ ଓ ଡିଜେଲ୍ କିଣିବାକୁ ବ୍ୟବହାର କରାଯିବ ବୋଲି ସୁମୀତ ବିଜେସିଂଘ କହିଛନ୍ତି। ଭାରତ ଓ ଶ୍ରୀଲଙ୍କ ମଧ୍ୟରେ ଖୁବ୍ଶୀଘ୍ର ଋଣ ପାଇଁ ସ୍ୱାକ୍ଷାର ହୋଇପାରେ ବୋଲି ଶ୍ରୀଲଙ୍କା ଅର୍ଥ ସଚିବ ଏସ୍ଆ୍ ଏଟିଗେଲ୍ କହିଥିବା ସୂଚନା ମିଳିଛି।
