ମନୀଷ ଅନୁରାଗ ହତ୍ୟା ମାମଲା: ଆଜି ଠାରୁ ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍ଫୋସିଟି ପୋଲିସ । ଆଜିି ଠାରୁ ୩ ଅଭିଯୁକ୍ତ ଅମୃତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ରିମାଣ୍ଡରେ ନେବା ଲାଗି ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସ୍ ଆବେଦନ କରିଥିଲା ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଘଟଣା ଦିନ ରାତିରେ ମନୀଷ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ପାତ୍ରପଡାରେ ଥିବା ହୋଟେଲକୁ ଯାଇଥିଲେ । ହୋଟେଲରେ ବିଲ୍ ପେମେଂଟକୁ ନେଇ ପାଟିତୁଣ୍ଡ ହୋଇଥିଲା । ହୋଟେଲ ବାହାରେ ମନୀଷକୁ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଏବଂ ଠେଲାପେଲା ଯୋଗୁଁ ମନୀଷଙ୍କ ମୃତ୍ୟୁ ଘଟିଥିଲା । ତାପରେ ସେମାନେ ପ୍ରମାଣ ନଷ୍ଟ ଲାଗି ମନୀଷଙ୍କ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା ।
