ତୁଳସୀ ପାହାଡରେ ମାଓ କ୍ୟାମ୍ପ ଠାବ, ଅନେକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଜିଲାରେ ଠାବ ହେଲା ମାଓ ଶିବିର । ଗତ୧୪ ତାରିଖ ରାତିରେ ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ଉପରେ ନକ୍ସଲମାନେ ଏକ ବଡ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ୧୫ ତାରିଖ ଦିନ ସକାଳୁ ଏସ.ଓ.ଜି, ଡି.ଭି.ଏଫ ଓ ବି.ଏସ.ଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେଠାରେ କୁମ୍ବିଂ ଅପରେସନ କରାଯାଇଥିଲା ।
ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ଘଟଣା ପରେ ଯବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ମାଓ ଶିବିରରୁ ଯବାନମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଯାହା ମଧ୍ୟରେ ରହିଛି ୮ ଟି ଡିଟୋନିଟର, ୧୨ ଭୋଲ୍ଟର ଗୋଟିଏ ବ୍ୟାଟେରି, ନକ୍ସଲ କିଟ୍ ବ୍ୟାଗ ଓ ପୋଷାକ ସହ ମାଓ ସାହିତ୍ୟ ଓ ଅନେକ ପ୍ରଚାର ପତ୍ର । ଘଟଣାସ୍ଥଳରୁ ନକ୍ସଲମାନେ ଖସି ଛତିଶଗୋଡ ସୀମା ଆଡକୁ ଚାଲିଯାଇଥିବା ଜଣାପଡିଛି । ତେବେ ସେମାନଙ୍କୁ ଧରିବା ଲାଗି ଛତିଶଗଡ ଓଡିଶା ସୀମାନ୍ତରେ ଆଉ ଏକ ଅପରେସନ ଆରମ୍ଭ ହୋଇଥିବା ମାଲକାନଗିରି ଏସ.ପି. ସୁଚନା ଦେଇଛନ୍ତି ।
