ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ
ବଲାଙ୍ଗୀର : ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା କ୍ରମେ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ସ୍ୱାମୀ ଉତକ୍ଷିପ୍ତ ହୋଇ ଏକ କୁରାଢ଼ିରେ ନିଜ ସ୍ତ୍ରୀର ମୁଣ୍ଡରେ ପ୍ରହାର କରିଥିଲେ। ଏଥିରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।
ସୂଚନା ଯେ, ଶନିବାର ରାତିରେ ଅଭିଯୁକ୍ତ ସ୍ୱାମୀ ପୁରନ୍ଦର ନାଏକ ଓରଫ ପଞ୍ଚୁ (୨୫) ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲା । ଘରେ ପତ୍ନୀ ଅମ୍ବିକା ଓରଫ ମୀନା(୨୨) ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ପୁରନ୍ଦର ଜିଦ୍ ଧରିଥିଲା । ଯାହାକୁ ନେଇ ଅମ୍ବିକା ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୁରନ୍ଦର ଏକ ଟାଙ୍ଗିଆରେ ଅମ୍ବିକାର ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଅମ୍ବିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରନ୍ଦର ଫେରାର ହୋଇଯାଇଥିଲା। ଖବର ପାଇ ଲରମ୍ଭା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ କ୍ଷିରୋଦ ସାହୁଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।
