ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି : ଆଜି ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
ଭୁବନେଶ୍ୱର : ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଆଜି ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି ହେବ । ୩ ଅଭିଯୁକ୍ତଙ୍କର ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ୍ ପୋଲିସ । ଆଜି ୧୬୪ ରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯିବ। ପରେ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରାଯିବ । ଶନିବାର ଜେଏମ୍ଏଫସି କୋର୍ଟରେ ଏମାନଙ୍କୁ ହାଜର କରାଯାଇଥିଲା। ଦିନେଶ ମହାପାତ୍ର, ମୃତ୍ୟଞ୍ଜୟ ମିଶ୍ର, ଅମ୍ରିତ ବିଶ୍ବାଳଙ୍କ ମଧ୍ୟରୁ କେବଳ ଅମ୍ରିତଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଓକିଲ । ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରିନଥିଲେ । ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଜେଏମଏଫସି । ଏମାନଙ୍କ ବିରୁଦ୍ଧରେ ଦଫା ୩୦୨, ୩୬୪-କ, ୨୦୧, ୩୪ ଲାଗିଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଯେ, ଗତ ୯ ତାରିଖ ଅପରାହ୍ନ ୪ଟା ବେଳେ ମନୀଷ ଅନ୍ୟ ଦିନ ଭଳି ପଟିଆରେ ଥିବା ତାଙ୍କ ସାଙ୍ଗ ତାପସର ଗୁଆଭା ସପ୍କୁ ଯାଇଥିଲେ। ସେଠାରେ ବସିଥିବା ବେଳେ ପୁରୁଣା ବନ୍ଧୁ ଅମ୍ରିତ ପ୍ରୀତମ ବିଶ୍ବାଳ ତାଙ୍କୁ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ। ମନୀଷଙ୍କ ବାହାଘରକୁ ଆଉ ଅଳ୍ପ ଦିନ ବାକିଥିବାରୁ ତାଙ୍କୁ ବ୍ୟାଚେଲର୍ ପାର୍ଟି ଦେବାକୁ କହିଥିଲେ। ମନୀଷ ପାର୍ଟି ଦେବାକୁ ରାଜି ହେବାରୁ ଅମ୍ରିତ ତାଙ୍କ ସିଆଜ୍ କାର୍ରେ ତାଙ୍କର ଦୁଇ ବନ୍ଧୁ ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ନେଇ ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଗୁଆଭା ସପ୍ରେ ପହଞ୍ଚିଥିଲେ। ଏହା ପରେ କାର୍ରେ ସମସ୍ତେ ଲକ୍ଷ୍ମୀସାଗରସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍ସିଟିକୁ ଆସିଥିଲେ। ଚାରି ଜଣ ମିଶି ଦୀର୍ଘ ସମୟ ଧରି ସେଠାରେ ଖିଆପିଆ ଓ ମଉଜମସ୍ତି କରିବା ପରେ ରାତି ପ୍ରାୟ ୨ଟା ୩୦ ବେଳକୁ ହୋଟେଲ୍ କର୍ତ୍ତୃପକ୍ଷ ଖାଦ୍ୟପେୟ ବାବଦକୁ ବିଲ୍ ମାଗିଥିଲେ। ବିଲ୍ର ପରିମାଣ ଦେଖି ମନୀଷ ବିରକ୍ତ ହୋଇଥିଲେ ଏବଂ ଏତେ ଟଙ୍କା ସେ ଦେଇ ପାରିବେନି ବୋଲି କହିଥିଲେ। କିନ୍ତୁ ଯେହେତୁ ମନୀଷ ବ୍ୟାଚେଲର ପାର୍ଟି ଦେଉଥିଲେ, ସେଥିପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ମନୀଷଙ୍କୁ ଦେବାକୁ ପଡ଼ିବ ବୋଲି ଅମ୍ରିତ ଓ ତାଙ୍କର ୨ସାଙ୍ଗ କହିଥିଲେ। ଏଥିରେ ମନୀଷ ରାଜି ନ ହେବାରୁ ସେମାନଙ୍କର ମଧ୍ୟରେ ବଚସା ହୋଇଥିଲା। ଏହା ପରେ ମନୀଷ ବାଧ୍ୟ ହୋଇ ଘରକୁ ଫୋନ୍ କରି ତାଙ୍କୁ କେତେଜଣ ଅପହରଣ କରି ନେଇଛନ୍ତି କହି ଟଙ୍କା ମାଗିଥିଲେ। ଏହା ଶୁଣିବା ପରେ ମନୀଷଙ୍କ ମା’ ୨ଟି ପର୍ଯ୍ୟାୟରେ ୮ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ମନୀଷ ଏହି ଟଙ୍କା ହୋଟେଲ ବିଲ୍ ବାବଦକୁ ପୈଠ କରିଥିଲେ ମଧ୍ୟ ପୂରା ଟଙ୍କା ଦେବାକୁ ନେଇ ସେମାନଙ୍କ ଭିତରେ ହୋଟେଲ ବାହାରେ ମଧ୍ୟ ଝଗଡ଼ା ହୋଇଥିଲା। ରାତି ପ୍ରାୟ ୩ଟା ୨୯ରେ ମନୀଷ ହୋଟେଲ୍ରୁ ବାହାରି ଘରକୁ ଯାଉଥିବା ବେଳେ ଅମ୍ରିତ, ଲିଟୁ ଓ ମୁନ୍ନା ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଦୌଡ଼ାଦୌଡ଼ି, ଧସ୍ତାଧସ୍ତି ଭିତରେ ମନୀଷଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ମନୀଷଙ୍କ ମୃତଦେହ ଲୁଚାଇବା ପାଇଁ ୩ ଅଭିଯୁକ୍ତ ନମ୍ରକାନି ପୋଖରୀରେ ଫୋପାଡ଼ି ଦେଇଥିଲେ। ଏହାପରେ ଓଦା ଜୁଡ଼ୁବୁଡ଼ୁ ଅବସ୍ଥାରେ ୩ ଅଭିଯୁକ୍ତ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଜାତୀୟ ରାଜପଥକୁ ରାସ୍ତା ପଚାରିଥିଲେ। ଏହି ପ୍ରତ୍ୟକ୍ଷଦର୍ଶୀଙ୍କୁ ସାକ୍ଷୀ ଭାବେ କୋର୍ଟରେ ଉପସ୍ଥିତ କରାଯିବ।
