ବାଲେଶ୍ୱରରେ ମେଲାଣି ନେଲେ ମା’ ଜଗତ୍ଜନନୀ
ବାଲେଶ୍ୱର : ମେଲାଣି ନେଲେ ମା’ ଜଗତ୍ଜନନୀ । ପ୍ରଶାସନର କଟକଣା ଯୋଗୁଁ ବାଲେଶ୍ୱରରେ ନିରାଡମ୍ବର ଭାବେ ପାଳିତ ହୋଲା ଭସାଣୀ ଯାତ୍ରା । ପୂର୍ବବର୍ଷମାନଙ୍କରେ ଡିଜେ ଓ ବାଜା ଶବ୍ଦରେ ଫାଟିପଡୁଥିବା ସହରର ରାସ୍ତା ଘାଟ ସମ୍ପୂର୍ଣ୍ଣ ଫାଙ୍କା ଥିଲା । ପୂଜା କମିଟିର ସୀମିତ ସଂଖ୍ୟକ ସଦସ୍ୟ କେବଳ ଯୋଡେ ବାଜା ଧରି ମା’ଙ୍କ ମେଢ ଭସାଣୀ ପାଇଁ ନେଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସହରର ବାଲିଘାଟ ଓ ନୂଣିଆଯୋଡି ଠାରେ ମୂର୍ତି ବିସର୍ଜନ କରାଯାଇଥିଲା । ଏଥିପାଇଁ ସେଠାରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଇଥିଲା । ମାତ୍ର କୁଣ୍ଡରେ ପାଣି ନଥିବାରୁ କମିଟି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ ସହ ନଦୀରେ ମୂର୍ତି ବିସର୍ଜନ କରିଥିଲେ ।
କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା ଦୁର୍ଗାଙ୍କର ଶାରଦୀୟ ପୂଜା ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । ମହାଳୟା ପରଦିନ ଅର୍ଥାତ ପ୍ରତିପଦ ତିଥିଠାରୁ ବିଭିନ୍ନ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଥିବା ନବରାତ୍ର ପୂଜା ନବମୀ ତିଥିରେ ସମ୍ପନ୍ନ ହୋଇାଥିବା ବେଳେ ମହାଷଷ୍ଠୀରେ ବିଲ୍ୱାଧିବରଣ ଠାରୁ ଆରମ୍ଭ ହୋଇଥିବା ଦେବୀଙ୍କର ମୃଣ୍ମୟମୂର୍ତିର ଅର୍ଚ୍ଚନ ଦଶହରାରେ ବିସର୍ଜନ ପରେ ଶେଷ ହୋଇଛି । ଅନ୍ୟାୟର ପ୍ରତିରୋଧ କରିବା ପାଇଁ ଧରାବତରଣ କରୁଥିବା ଶକ୍ତିସ୍ୱରୁପିଣୀ ମା’ ଚଳିତ ବର୍ଷ କରୋନା ମହାମାରୀ ରୂପୀ ମହାସଙ୍କଟକୁ ଦୁର କରିବାର ଆସ୍ଥା ସହିତ ପ୍ରକୃତି କୋଳୁ ବିଦାୟ ନେଇଛନ୍ତି । ଶରତର ମେଲାଣି ଗୀତ ଗାଇ ଗାଇ ମାଟିପିଠିରେ ଝରିପଡିଛିି କ୍ଲାନ୍ତ କାଶତଣ୍ଡି ଏବଂ ଅପେକ୍ଷା କରିଛି ଆଉ ଏକ ଶରତକୁ । ବର୍ଷକ ପରେ ପୁଣି ପାଳନ ହେବ ଶାରଦୀୟ ଉତ୍ସବ । ତେବେ ବିଶ୍ୱ ବିପତି ସାଜିଥିବା କରୋନା ଯେପରି ଏ ଧରାପୃଷ୍ଠରୁ ଲୋପ ପାଇଯାଉ ସେ ନେଇ ବିଜୟା ଦଶମୀରେ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସମସ୍ତେ । ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସହର ବାଲେଶ୍ୱରର ଦୁର୍ଗାପୂଜାରେ ସର୍ବଦା ସ୍ୱତନ୍ତ୍ରତା ବଜାୟ ରହିଆସିଛି । ଏହାରି ମଧ୍ୟରେ ଏକ ଅନନ୍ୟ ପରମ୍ପରା ହେଉଛି ବିଜୟା ଦଶମୀର ସିନ୍ଦୂର ଖେଳ । ପାଖାପାଖି ପଚାଶ ବର୍ଷ ବର୍ଷ ଧରି ଏହି ସିନ୍ଦୁର ଖେଳର ପରମ୍ପରା ବାଲେଶ୍ୱର ସହରରେ ଚଳି ଆସୁଛି । ଶାସ୍ତ୍ରବିଧି ଅନୁସାରେ ଦେବୀ ଦୁର୍ଗାଙ୍କ ଘଟ ବିସର୍ଜ୍ଜନ ହେବା ପରେ ସ୍ଥାନୀୟ ମହିଳାଙ୍କ ଦ୍ୱାରା ପୂଜା ମଣ୍ଡପରେ ଆରମ୍ଭ ହୋଇଥିଲା ସିନ୍ଦୂର ଖେଳ । କୁହାଯାଏ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ମହାପ୍ରତାପୀ ରାବଣକୁ ବଧ କରି ବିଜୟା ଦଶମୀ ଦିନ ପତ୍ନୀ ସୀତାଙ୍କ ଅଯୋଧ୍ୟାକୁ ଫେରିବା ବେଳେ ସିନ୍ଦୁର ଏବଂ ରଙ୍ଗ ଖେଳି ସମସ୍ତେ ଏହି ବିଜୟ ପର୍ବକୁ ଆନନ୍ଦର ସହ ପାଳନ କରିଥିଲେ । ତେଣୁ ସେହି ପରମ୍ପରାକୁ ମନେ ପକାଇ ବିଜୟା ଦଶମୀ ଦିନ ସିନ୍ଦୁର ଖେଳ ହୋଇଥାଏ । ସେହି କ୍ରମରେ ବାଲେଶ୍ୱରର ବିଭିନ୍ନ ମଣ୍ଡପରେ ଦଶହରା ଦିନ ଘଟ ବିସର୍ଜନ ପରେ ସଧବା ନାରୀମାନେ ସିନ୍ଦୁର ଖେଳିଥିଲେ । ଏହାପରେ ମହିଳାମାନେ ପରସ୍ପରକୁ ସିନ୍ଦୂର ବୋଳି ଶାରଦୀୟ ଶୁଭେଛା ଜଣାଇବା ସହ ନିଜ ନିଜ ପରିବାରର ମଙ୍ଗଳ କାମନା କରିଥିଲେ । ତେବେ ଚଳିତ ବର୍ଷ ପାର୍ବଣର ଶେଷ ପର୍ବ ଭାବେ ମା ଦୁର୍ଗା ଏ ଧାରପୃଷ୍ଠରୁ ବିଦାୟ ନେଇଥିଲେ ।
