ପ୍ରତିରକ୍ଷାରେ କର୍ପୋରେଟ ଯୁଗ : ୭ଟି ନୂଆ କମ୍ପାନୀ ଘୋଷଣା କଲେ ସରକାର
ନୂଆଦିଲ୍ଲୀ : ଦଶହରା ଅବସରରେ ଦେଶବାସୀଙ୍କ ପ୍ରଧାନମନ୍ତ୍ରୀଙ୍କ ଉପହାର । ୭ଟି ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କମ୍ପାନୀଗୁଡ଼ିକ ହେଉଛି ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍, ଆର୍ମଡ ଭେଇକିଲ୍ ନିଗମ ଲିମିଟେଡ୍, ଆଡଭାନ୍ସଡ୍ ଉଇପନ୍ସ ଆଣ୍ଡ୍ ଇକ୍ୱିପ୍ମେଣ୍ଟ ଇଣ୍ଡିଆ ଲିମିଟେଡ୍, ଟ୍ରୁପ୍ କମ୍ଫଟ୍ସ ଲିମିଟେଡ୍, ଯନ୍ତ୍ର ଇଣ୍ଡିଆ ଲିମିଟେଡ୍, ଇଣ୍ଡିଆ ଅପ୍ଟେଲ୍ ଲିମିଟେଡ୍ ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି ଯେ, ୪୧ଟି ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ୭ଟି କମ୍ପାନୀରେ ପରିବର୍ତ୍ତନ କରାଯାଇଛି, ଯାହା ଫଳରେ ଦେଶର ପ୍ରତିରକ୍ଷା ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ସେଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ସେ କହିଛନ୍ତି ରାଷ୍ଟ୍ର ସୁରକ୍ଷା ଦିଗରେ ସରକାର ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ହାତ ମିଳାଇଛନ୍ତି । ଏହା ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ନୂଆ ଶିଖରକୁ ନେବ । ସେ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ର ସ୍ୱାଧୀନତା ପରେ ଅଧିକ ବିକଶିତ ହୋଇପାରିନଥିଲା । ଏହି ୭ଟି କମ୍ପାନୀ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର ଏବଂ ଯାନ ଉତ୍ପାଦନ ପାଇଁ ପ୍ରସ୍ତୁତ ୭ଟି ନୂତନ କମ୍ପାନୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମକୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡିବ। ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଦେଶକୁ ସବୁଠାରୁ ବଡ ସାମରିକ ଶକ୍ତି କରିବା ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କମ୍ପାନୀଗୁଡିକ ମାଧ୍ୟମରେ ଦେଶ ଅସ୍ତ୍ରଶସ୍ତ୍ର, ସାମରିକ ଯାନ, ଯନ୍ତ୍ରପାତି ଏବଂ ଉନ୍ନତ ଜ୍ଞାନକୌଶଳ ପାଇବାକୁ ସକ୍ଷମ ହେବ। ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି କମ୍ପାନୀଗୁଡ଼ିକୁ ମଜବୁତ କରିବା ପାଇଁ ଆମେ ୬୫,୦୦୦ କୋଟି ଟଙ୍କା ମୂଲ୍ୟର ଅର୍ଡର ଦେଇସାରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅନୁସନ୍ଧାନ ଏବଂ ନବସୃଜନ ଦେଶର ପରିଭାଷା ନିର୍ଣ୍ଣୟ କରେ। ଏହା ହେଉଛି ଭାରତର ଅଭିବୃଦ୍ଧିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦାହରଣ । ସେ କହିଛନ୍ତି ଯେ ଆମକୁ ଉଦ୍ଭାବକମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ପଡିବ ଯାହା ଦ୍ୱାରା ସେମାନେ ଦେଶ ପାଇଁ ନୂତନ ଉଦ୍ଭାବନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମର ଲକ୍ଷ୍ୟ ଅନ୍ୟ ଦେଶ ସହ ସମାନ ହେବାକୁ ନୁହେଁ ବରଂ ବିଶ୍ୱରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛୁ । ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନି ୩୧୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍ଆଇଏଲ); ଆରମୋର୍ଡ ଭେଇକିଲ୍ ନିଗମ ଲିମିଟେଡ୍ (ଏଭିଏଏନ୍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍) ନାମକ ୭ଟି କମ୍ପାନୀକୁ ମୋଦୀ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
