ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ତାରିଣୀ
କେନ୍ଦୁଝର : କେନ୍ଦୁଝର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ପାଳିତ ହୋଇଛି ମହାନବମୀ । ଏଥିସହିତ ସୁନାବେଶରେ ମଧ୍ୟ ଦର୍ଶନ ଦେଉଛନ୍ତି ମା’ ତାରିଣୀ ।
ଗୁରୁବାର ସକାଳୁ ସକାଳୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ, ଦୀପ, ଧୂପ ପ୍ରଜ୍ବଳନ କରିଥିଲେ । ଏହାପରେ ଷୋଡଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନବରାତ୍ରୀର ନବମ ଦିବସରେ ମା’ ମହାଗୌରୀ ରୂପ ଧାରଣ କରିଛନ୍ତି । ମହାଗୌରୀ ରୂପ ଏବଂ ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।
