ନିଟ୍ ପରୀକ୍ଷା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମ୍କେ ନେତ୍ରୀ କାନିମୋଝୀ
ଭୁବନେଶ୍ୱର : ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝୀ ଆଜି ନବୀନ ନିବାସ ପହଂଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଭାଇ ଏମକେ ଷ୍ଟାଲିନଙ୍କ ଲିଖିତ ଚିଠି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଚିଠିରେ ସର୍ବ ଭାରତୀୟ ସ୍ତରରେ ହେଉଥିବା ନିଟ୍ ପରୀକ୍ଷାରେ ଗରୀବ ତଥା ଗ୍ରାମୀଣ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଉଲ୍ଲେଖ ରହିଛି ।
ନିଟ୍ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ହେଉଥିବା ବେଳେ ଏଥିରେ ହେଉଥିବା ପ୍ରତିଯୋଗିତାକୁ ସାମନା କରିପାରୁନାହାନ୍ତି ଗ୍ରାମୀଣ ତଥା ଗରିବ ଶ୍ରେଣୀ ଛାତ୍ରଛାତ୍ରୀ । ଏହି ପରୀକ୍ଷାରେ ବିଫଳ ହୋଇ ତାମିଲନାଡୁ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଘଟଣା ସାମନାକୁ ଆସୁଛି । ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ହେଉଥିବାବେଳେ ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁବିଧା ସୁଯୋଗ ପାଇବାରୁ ବବଂଚିତ ହେଉଛନ୍ତି ଗ୍ରାମୀଣ ଛାତ୍ରଛାତ୍ରୀ । ତେଣୁ ଏହାକୁ ଅନ୍ୟ ପରୀକ୍ଷା ଭଳି ରାଜ୍ୟ ସ୍ତରୀୟ କରି ଏଥିପାଇଁ ଥିବା ନିୟମକୁ କୋହଳ କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି । ଏବାବଦରେ କେନ୍ଦ୍ରକୁ ଜଣାଇଥିଲେ ବି କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଥିଲେ । ଏବେ ଏହି ପ୍ରସ୍ତାବ ଉପରେ ସମର୍ଥନ ବଢାଇବାକୁ ଓଡିଶା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ତାମିଲନାଡୁ ସରକାର । ଏହି ପ୍ରସ୍ତାବକୁ ଆନ୍ଧ୍ର ସରକାର ସମର୍ଥନ କରୁଥିବାବେଳେ ଅନ୍ୟ ଅଣବିଜେପି ରାଜ୍ୟ ସରକାରଙ୍କୁ ସମର୍ଥନ ପାଇଁ ଚିଠି ଲେଖିଛନ୍ତି ତାମିଲନାଡୁ ସରକାର ।
