ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି : ୨ ସନ୍ଦିଗ୍ଧଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା ଉଭୟଙ୍କୁ ଭୁବନେଶ୍ୱର ଆଣି ପୋଲିସ ଅଧିକ ପଚରାଉଚରା କରିବ । ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକ ଅଟକ ଅଛନ୍ତି । ମୋଟ୍ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ମିଷ୍ଟ୍ରି ଖୋଜିବାରେ ଲାଗିଛି ।
ମଙ୍ଗଳବାର ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଏହା ଜଣାପଡିଛି । ଏସମ୍ପର୍କରେ ଭୁବନେଶ୍ୱର ଏମସ୍ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ମନୀଷଙ୍କ ଆହୁରି ରିପୋର୍ଟ ଆସିବାକୁ ବାକି ଅଛି । ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟକୁ ପରୀକ୍ଷା ପାଇଁ ପଠାଯାଇଛି । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ମନୀଷଙ୍କ ପାଣିରେ ବୁଡ଼ି ନା ତା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି ତାହାର ପରୀକ୍ଷା କରାଯିବ । ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ବୋଲି ସେ କହିଛନ୍ତି । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଘଟଣାରେ ୩ଟି ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ପ୍ରାଥମିକ ରିପୋର୍ଟରୁ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ସୂଚନା ଯେ, ମୃତ୍ୟୁ ପୂର୍ବରୁ ଗୁଡୁ ହୋଟେଲ୍ ସାଉଥ୍ ସିଟି ବାରକୁ ଯାଇଥିଲେ ବୋଲି ଜଣାପଡ଼ିବା ପରେ ପୋଲିସର ତଦନ୍ତ ଏହାରି ଉପରେ ଫୋକସ୍ କରିଛି । ବାର୍ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମନୀଷ ରାତି ପ୍ରାୟ ୧୨ଟା ପରେ କିଛି ଯୁବକଙ୍କ ସହ ହୋଟେଲକୁ ଆସିଥିଲେ । ସେଠାରେ ସବୁ କିଛି ଠିକଠାକ୍ ଥିଲା । ଏହାପରେ ରାତି ପ୍ରାୟ ୨ଟା ୩୦ ବେଳକୁ ସେମାନେ ହୋଟେଲରୁ ଚାଲି ଯାଇଥିଲେ । ତେଣୁ ହୋଟେଲରୁ ଯିବା ପରେ କ’ଣ ହେଲା ଏବଂ ସେଠାରେ କିଏ କିଏ ଥିଲେ; ସେସବୁର ପୂରା ତଥ୍ୟ ପୋଲିସ ଖୋଜୁଛି । ହୋଟେଲର ସିସି କ୍ୟାମେରା ହାର୍ଡଡିସ୍କ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ ହୋଇଛି । ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା । ଶସନିବାର ରାତିରୁ ସେ ନିଖୋଜ ଥିଲେ । ଭୋଜି କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କର ସାଙ୍ଗମାନେ ହତ୍ୟା କରିଥିବା ବାପା ନବୀନ ଦାସ ଅଭିଯୋଗ କରିଛନ୍ତି ।
