ମୃତ୍ୟୁ ଏମିତି ବି ଆସେ : ମା’ଙ୍କ ପୂଜା ସମୟରେ ହୃଦ୍ଘାତରେ ପୁରୋହିତଙ୍କ ମୃତ୍ୟୁ
ବାଲେଶ୍ୱର : ମୃତ୍ୟୁ ଏମିତି ବି ଆସେ । ପୂଜା କରୁଥିବା ସମୟରେ ପୁରୋହିତଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି । ବାଲିଆପାଳ ଥାନା ଅନ୍ତର୍ଗତ ଜାଠିଆ ଗ୍ରାମର ରବିନ୍ଦ୍ର ଜେନାଙ୍କ ଘରେ ଦୁର୍ଗା ପୂଜା ଅବସରରେ ମଙ୍ଗଳା ପୂଜା ଚାଲିଥିଲା । ପୂଜାର ମଙ୍ଗଳବାର ପ୍ରଥମ ଦିନ, ତିନିଦିନ ଧରି ପୂଜା ହୋଇଥାନ୍ତା । ରବୀନ୍ଦ୍ର ଜେନାଙ୍କ କୁଳପୁରୋହିତ ହିସାବରେ ସୁନାରୁଇ ଗ୍ରାମର ସ୍ୱର୍ଗତ ଅତୁଲ ପଣ୍ଡାଙ୍କ ପୁତ୍ର ସତ୍ୟପଦ ପଣ୍ଡା (୩୪) ପୂଜା କରୁଥିଲେ । ଦିନ ପ୍ରାୟ ୨ ଟା୩୦ ମିନିଟ୍ ସମୟରେ ହଠାତ ପୁରୋହିତ ପଣ୍ଡା ବସିଥିବା ସ୍ଥାନରେ ଓଲଟି ପଡ଼ିଥିଲେ । ଘର ଲୋକମାନେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ପଣ୍ଡା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ତଥା ବାଲେଶ୍ୱର ସୁବର୍ଣ୍ଣଶ୍ରୀ ପ୍ରକାଶନୀର ସମ୍ପାଦକ କବି କାଳିପଦ ପଣ୍ଡାଙ୍କ ମଧ୍ୟମ ଭ୍ରାତା ଅଟନ୍ତି । ସ୍ୱର୍ଗତ ପଣ୍ଡା ଜଣେ ପୂଜକ ପଣ୍ଡିତ ଭାବରେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡ଼େଶ୍ୱର ପ୍ରଧାନ, ଖବରଦାତା ଅଜୟ କୁମାର ସାହୁ, ଅଧ୍ୟାପକ ସୁକାନ୍ତ ଗିରି, ଶିକ୍ଷକ ତଥା କବି ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ, ବ୍ୟୋମକେଶ ସାହୁ, କବି ସନ୍ୟାସି ପ୍ରଧାନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
