ବାଲେଶ୍ୱରରେ ମହାସପ୍ତମୀ ପୂଜା, ଉତ୍ସବମୁଖର ସହର
ବାଲେଶ୍ୱର : ବାଲେଶ୍ୱର ଜିଲାୟରେ ଦୁର୍ଗତୀ ନାଶିନୀ ମା’ଦୁର୍ଗାଙ୍କର ଶାରଦୀୟ ପୂଜା ପାଇଁ ସହରଠାରୁ ପୁରପଲ୍ଲୀ ଚଳଚଞ୍ଚଳ । ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମା’ଙ୍କ ମହାସପ୍ତମୀ ପୂଜା । ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗାପୂଜାକୁ ନେଇ କଟକଣା ଜାରି ହୋଇଥିଲେ ବି ମା’ଙ୍କର ଆଶୀର୍ବାଦ ଲାଭ କରିବାକୁ ସତେ ଯେପରି ସବୁ କିଛି ଭୁଲି ଯାଇଛନ୍ତି ସମସ୍ତେ । ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ସହ ଜଗତଜନନୀ ମା’ଙ୍କର ସ୍ତୁତି ପାଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ମହାଷଷ୍ଠୀରେ ବେଲବରଣ ପରେ ମହାସପ୍ତମୀ ତିଥିରେ ଅନୁଷ୍ଠିତ ହୋଇଛି ମା’ଙ୍କର ଷୋଡ଼ଶ ଉପଚାର ପୂଜାନୀତି । ଦେବୀ ଦୂର୍ଗାଙ୍କ ଟିକିଏ କରୁଣା ପାଇବା ପାଇଁ ଆବାଳ ବୃଦ୍ଧବନୀତାଙ୍କ ଭିତରେ ଦେଖା ଦେଇଛି ଅପୂର୍ବ ଆନନ୍ଦ ଓ ଉଦ୍ଦୀପନା । ପ୍ରଶାସନର କଟକଣା ଯୋଗୁଁ ପୂଜା ମଣ୍ଡପଗୁଡ଼ିକରେ ନିରାଡ଼ମ୍ବର ଭାବେ ଉତ୍ସବ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷମାନଙ୍କ ସୁଉଚ୍ଚ ତୋରଣ ନାହିଁ କି ନାହିଁ ରଙ୍ଗ ବିରଙ୍ଗର ଆଲୋକମାଳା । କେବଳ ନୈଷ୍ଠିକ ପୂଜାନୀତି ମଧ୍ୟରେ ଚାଲିଛି ଦେବୀଙ୍କର ଅର୍ଚ୍ଚନା । ବାଲେଶ୍ୱର ସହରାଞ୍ଚଳରେ ଟାଉନ ଥାନା ଅଧିନରେ ୨୪ଟି, ସହଦେବଖୁଣ୍ଟା ଥାନା ଅଧିନରେ ୨୦ଟି, ଶିଳ୍ପାଞ୍ଚଳ ଥାନା ଅଧିନରେ ୪ଟି ଓ ସଦର ଥାନା ଅଧିନରେ ୨ଟି ସାର୍ବଜନୀନ ପୂଜା ମଣ୍ଡପ ଅନୁମତି ନେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ୧୦ରୁ ଉର୍ଦ୍ଧ୍ୱ ଘରୋଇ ପୂଜା ସହିତ ଗ୍ରାମଞ୍ଚଳରେ ଶତାଧିକ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ହେଉଥିବା ଜଣାପଡ଼ିଛି । ପ୍ରଶାସନର କଟକଣାକୁ ମାନି ସଂଖ୍ୟାଧିକ ପୂଜାପଣ୍ଡପରେ ମୂର୍ତ୍ଥିର ଉଚ୍ଚତା କମ୍ କରାଯାଇଥିବା ବେଳେ କେତେକ ସ୍ଥାନରେ ବେଶ ଉଚ୍ଚତା ବିଶିଷ୍ଟ ମେଢ଼ ନିର୍ମାଣ କରାଯାଇଛି । କରୋନା ସଂକ୍ରମଣର ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଗତବର୍ଷ ଅପେକ୍ଷା ଲୋକଙ୍କ ମଧ୍ୟରେ ପାର୍ବଣକୁ ନେଇ ଉତ୍ସାହ ମଧ୍ୟ ବଢିଛି । ସପ୍ତାହ ଧରି ସହରର ବଜାରରେ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଉତ୍ସବ ପାଳିବାକୁ ନୂଆ ଲୁଗା ପାଇଁ ଦୋକାନମାନଙ୍କରେ ଆଶାତୀତ ଭିଡ଼ ଲାଗିଛି । ମହାଷ୍ଟମୀରେ ମା’ଙ୍କ ନିକଟରେ ଡାଲା ଭୋଗ ଲଗାଇବାକୁ ଫଳ ଦୋକାନରେ ବେଶ ଭିଡ଼ ଲାଗିଥିଲା । ଏହା ସହିତ ରାସ୍ତାରେ ବସିଥିବା ବାଉଁଶରେ ତିଆରି ଡାଲା ବିକାଳିଙ୍କ ମଧ୍ୟ ଭଲ ବେପାର ହୋଇଥିବା ଲକ୍ଷ୍ୟ କରାଯାଇଛି । ତେବେ କଟକଣା ଯୋଗୁଁ ପାର୍ବଣ ଯେତେଟା ଫିକା ପଡ଼ିବ ବୋଲି ଆଶା କରାଯାଉଥିଲା ବାଲେଶ୍ୱରରେ ତାହାର ବିପରିତ ସ୍ଥିତି ପରଲକ୍ଷିତ ହୋଇଛି ।
