ପାକିସ୍ତାନ ଆତଙ୍କବାଦୀ ଗିରଫ, ଏକେ-୪୭ ରାଇଫଲ୍ ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ
ନୂଆଦିଲ୍ଲୀ : ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ। ତା’ ଠାରୁ ଏକେ-୪୭ ରାଇଫଲ୍, ହ୍ୟାଣ୍ଡ ଗ୍ରେନେଡ୍ ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ ଗିରଫ କରିଛି। ଏହି ଆତଙ୍କବାଦୀ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ବାରା ଟ୍ରେନିଂ ପାଇଛି । ସେ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲା ।
ମହମ୍ମଦକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ କରିଥିଲା ବୋଲି ଜଣାପଡ଼ିଥିବା ବେଳେ ଅଧିକ ସୂଚନା ପାଇଁ ତାକୁ ପଚରାଉଚରା କରାଯାଉଛି। ସୋମବାର ରାତି ୯ଟା ୨୦ରେ ତାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀ ନଗର ଅଞ୍ଚଳରୁ ଗିରଫ କରିଛି। ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ନବରେଲ ଅଞ୍ଚଳର ବାସିନ୍ଦା। ସେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ଦିଲ୍ଲୀରେ ରହୁଥିଲା । ସେ ନିଜକୁ ମହମ୍ମଦ ନୁରୀ ନାଁରେ ପରିଚୟ ଦେଉଥିଲା। ଜାଲ ନାମକୁ ବ୍ୟବହାର କରି ସେ ଭାରତୀୟ ଆଇକାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲା। ଦିଲ୍ଲୀର ତୁର୍କମାନ ଅଞ୍ଚଳରେ ସେ ରହୁଥିବା ଘରୁ ଏକ ଭାରତୀୟ ପାସପୋର୍ଟ ମଧ୍ୟ ଜବତ କରାଯାଇଛି। ସୂଚନା ଯେ, ମହମ୍ମଦ ଜାଲ ଭାରତୀୟ ପରିଚୟ ପତ୍ର ଆଧାରରେ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହିଆସୁଥିଲା । ସେଠାରେ ରହି ଦିଲ୍ଲୀର ବିଭିନ୍ନ ସ୍ଥାନ ବିଷୟରେ ତଥ୍ୟ ନେବା ସହ ଆକ୍ରମଣର ଯୋଜନା କରୁଥିଲା । ସେ ପାକିସ୍ତାନ ଆଇଏସଆଇ ଦ୍ୱାରା ପ୍ରଶିକ୍ଷଣ ନେଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଅନ୍ୟ ଜଣେ ସିନ୍ଦିଗ୍ଧ ଯୁବକକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଦିଲ୍ଲୀର ଏକ ମହାବିଦ୍ୟାଳୟରେ ନାମ ଲେଖାଇ ଛାତ୍ର ଭାବେ ରହୁଥିଲେ ବି କୌଣସି ଶ୍ରେଣୀରେ ଯୋଗ ନଦେବା ସହ ତାଠାରୁ ଅନେକ ମାରଣାସ୍ତ୍ର ଥିବା ସନ୍ଦେହରେ ପୁଲିସ ତାକୁ ଗିରଫ କରିଥିଲା । ପରେ ସେ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିବା ସ୍ୱୀକାର କରିଥିଲା ।
