ଯବାନ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ନିହତ
ମାଲକାନଗିରି : ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ମଙ୍ଗଳବାର ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ଓଜି ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ବାୟୁସେନା ହେଲକପ୍ଟର ଯୋଗେ ବିଶାଖାପାଟନମ୍ ସ୍ଥାନାନ୍ତର ପାଇଁ ଚାଲିଛି ଯୋଜନା । ଘଟଣାସ୍ଥଳରେ ଏବେବି ଗୁଳିବିନିମୟ ଜାରି ରହିଛି । ବିଏସ୍ଏଫ୍ ଯବାନଙ୍କ ସହ ଡିଭିଏଫ୍ ବାହିନୀକୁ ନେଇ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି ମାଲକାନଗିରି ଏସ୍ପି ପ୍ରହଲାଦ ମୀନା । ଏବେ ମଧ୍ୟ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି ତୁଳସୀ ରିଜର୍ଭ ଫରେଷ୍ଟରେ ଡିଭିଏଫ ଓ ଏସଓଜି କ୍ୟାମ୍ପ ଉପରେ ହଠାତ୍ ମାଓବାଦୀମାନେ ଗୁଳିବର୍ଷଣ କରିଥିଲେ। କିନ୍ତୁ କାଉଣ୍ଟର ଫାୟରିଂରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ମିଳିଛି। ଏବେ ବି କମ୍ବିଂ ଅପରେସନ ଜାରି ରହିଛି। ମାଓବାଦୀଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ କରାଯାଇଛି।
