ଦେଶରେ ଆଉ ୧୪,୩୧୩ କରୋନା ସଂକ୍ରମିତ ଚିହ୍ନଟ ଓ ୧୮୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ରୁ କମ୍ ରହିଛି।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୧୪ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୧ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୬ହଜାର ୫୭୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୯ଲକ୍ଷ ୮୫ହଜାର ୯୨୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୦ହଜାର ୯୬୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୩ଲକ୍ଷ ୨୦ହଜାର ୦୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୧୪ହଜାର ୯୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ମୋଟ ୯୫,୮୯,୭୮,୦୪୯ ପାନ ଟିକାକରଣ କରାଯାଇସାରିଛି । କେବଳ ସୋମବାର ଗୋଟିଏ ଦିନରେ ୬୫,୮୬,୦୯୨ ପାନ କୋଭିଡ ଟିକା ଦିଆଯାଇଛି ।
