ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହେଉଛି । ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍ ସର୍କୁଲେସନ ସକ୍ରୀୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି। ଯାହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ୧୫ ତାରିଖ ବେଳକୁ ଗଭୀର ଅବପାତ (ୱେଲ୍ ମାର୍କଡ୍)ରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ମାଡ଼ ହେବ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର, ବରଗଡ, ନୁଆପଡା ଏବଂ ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ,କନ୍ଧମାଳରେ ବର୍ଷା ଅନୁଭୁତ ହୋଇ ପାରେ ।
ଅନ୍ୟପକ୍ଷରେ ଓଡ଼ିଶାରେ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଅଧା ଓଡ଼ିଶାରୁ ଫେରିଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଛି । ସୋମବାର ସୁଦ୍ଧା ଅନୁଗୁଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରିଯାଇଛି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ସୂଚନା ଯେ, ଜୁନ୍ ୩ରେ କେରଳ ଛୁଇଁଥିଲା ମୌସୁମୀ । କେରଳ ଛୁଇଁବାର ପାଖାପାଖି ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା । ଚଳିତବର୍ଷ ରାଜ୍ୟରେ ବିଶେଷ ମୌସୁମୀ ବର୍ଷା ହୋଇନି । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୮ ମିଲିମିଟର ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୫୩, କୋରାପୁଟରେ ୪୮, ଅନୁଗୁଳରେ ୪୩, ଗଜପତିରେ ୪୦, ମୟୂରଭଞ୍ଜରେ ୩୭ ଓ କେନ୍ଦୁଝରେ ୩୬ ମିଲିମିଟର ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସେହିପରି ମାଲକାନଗିରି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ସ୍ୱାଭାବିକଠୁ ଅତ୍ୟଧିକ ବର୍ଷା ହୋଇଥିବା କେନ୍ଦ୍ର ସୂଚନା ଦେଇଛି । ସୋମବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଚାନ୍ଦବାଲିରେ ୯ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱର ଓ ପାରାଦୀପରେ ସ୍ୱଳ୍ପ ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
