ପ୍ରତିଶୋଧ ନେଲେ ଯବାନ, ଏନକାଉଣ୍ଟରରେ ୩ ଆତଙ୍କୀ ନିହତ
ଶ୍ରୀନଗର : ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲେ ଭାରତୀୟ ସେନା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେଲେ ଆଉ ୩ ଆତଙ୍କବାଦୀ । ଜମ୍ମୁ-କଶ୍ମୀର ସୋପିଆନ୍ରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସମସ୍ତ ନିହତ ଆତଙ୍କବାଦୀ ଲସ୍କର ସଂଗଠନ ସହିତ ଜଡିତ ଥିବାର ମଧ୍ୟ ସୂଚନା ମିଳିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କ ପରିଚୟ ମିଳିଛି । ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି । ମୁଖତାର ଶାହ ବିହାରର ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ଅନ୍ୟପଟେ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଭାରତୀୟ ସେନା ।
ଜାମ୍ମ-କାଶ୍ମୀରର ସୋପିଆନ୍ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନଟିକୁ ଚାରିପଟୁ ଘେରିଯାଇଥିଲେ ସେନା । ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ପାଲଟା ସେନା ଉପରକୁ ଗୁଳିମାଡ଼ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟର ୩ଜଣ ଲସ୍କର ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବନ୍ଧୁକ, ଗୁଳି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ଏହାସହିତ ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ସୂଚନା ଯେ, ସୋମବାର ଦିନ ପୁଞ୍ଛ ଜିଲାର ଚମରେର ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପର ଠାରୁ ସେନା ବଦ୍ଲା ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ମଙ୍ଗଳବାର ଦିନ ସୋପିଆନ୍ରେ ୩ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ।
