ବାଲେଶ୍ୱରରେ ଖାଦ୍ୟ ନିରାପତ୍ତା ଟିମ୍ର ଚଢ଼ଉ : ବାସି ଖାଦ୍ୟ ନଷ୍ଟ ସହିତ ଜୋରିମାନା ଆଦାୟ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ପାର୍ବଣ ସମୟରେ ବାସି ଓ ନିମ୍ନ ମାନର ଖାଦ୍ୟ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଖାଦ୍ୟ ନିରାପତ୍ତା ଟିମ୍ ଦ୍ୱାରା ଗତ ୧୫ଦିନ ଧରି ଜିଲାର ବିଭିନ୍ନ ଅଞ୍ଚଳ ବିଶେଷ କରି ସହରାଞ୍ଚଳର ବିଭିନ୍ନ ହୋଟେଲ, ରେସ୍ତୋରାଁ, ମିଠା ଦୋକାନ, ଖାଦ୍ୟସାମଗ୍ରୀ ବିକ୍ରୀ କରୁଥିବା ରାସ୍ତାକଡ଼ ଉଠା ଦୋକାନ ପ୍ରଭୃତିରେ ଅଚାନକ ପରିଦର୍ଶନ ସହ ଚଢ଼ଉ ଜାରି ରହିଛି ।
ସୋମବାର ଏହି ଟିମ ଦ୍ୱାରା ସହରର ମୋତିଗଞ୍ଜ, ନୂଆବଜାର, ଫକୀରମୋହନ ଗୋଲେଇ ଓ କୁରୁଡ଼ା ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ଗୁଣାତ୍ମକ ମାନ ଯାଞ୍ଚ କରାଯାଇଥିଲା । ଏହି ଚଢ଼ଉ ସମୟରେ ପ୍ରାୟ ୫୦ କିଲୋ ବାସି ଖାଦ୍ୟ ଓ ମିଷ୍ଟାନ୍ନ ନଷ୍ଟ କରାଯିବା ସହ ଦୋକାନୀମାନଙ୍କ ଠାରୁ ୧୫ହଜାର ୬ଶହ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ନୀଳଗିରି ଓ ରେମୁଣା ଅଞ୍ଚଳରେ ଚଢ଼ଉ କରାଯାଇ ୫ହଜାର ୮ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ସୋର ଏବଂ କୁରୁଡ଼ା ଅଞ୍ଚଳରୁ ୫ହଜାର ୫ଶହ ଟଙ୍କା ଏବଂ ଜଳେଶ୍ୱର ଓ ବାଲେଶ୍ୱର ସହରାଞ୍ଚଳରୁ ୪ହଜାର ୩ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି । ଖାଦ୍ୟ ଓ ମିଷ୍ଟାନ୍ନର ଗୁଣାତ୍ମକମାନ ବଜାୟ ରଖିବା ସହିତ ସେଗୁଡ଼ିକର ପ୍ରସ୍ତୁତ/ତିଆରି ତାରିଖ ଏବଂ ଏକ୍ସପାରି(ସମାପ୍ତି) ତାରିଖ ଉଲ୍ଲେଖ କରିବାକୁ ସମସ୍ତ ଦୋକାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ ଫୁଡ୍ ଲାଇସେନ୍ସ ବାତିଲ୍ କରାଯିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ସ୍ୱାସ୍ଥ୍ୟ ସୁପରଭାଇଜର ଗଦାଧର ବେହେରାଙ୍କ ସମେତ ବିଭାଗୀୟ କର୍ମଚାରୀ ନିତ୍ୟାନନ୍ଦ ପତି, ରାମଚନ୍ଦ୍ର ପତି ଏବଂ ହରିହର ଦାସ ପ୍ରମୁଖଙ୍କ ନେଇ ଗଠିତ ଏହି ଖାଦ୍ୟ ନିରାପତ୍ତା ଟିମ୍ ଦ୍ୱାରା ଆଗକୁ ନିୟମିତ ଭାବେ ଏଭଳି ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି । ଏଥିସହ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନୀମାନଙ୍କୁ ଖାଦ୍ୟ ଏବଂ ମିଷ୍ଟାନ୍ନର ଗୁଣବତ୍ତା ଉପରେ ଉପଯୁକ୍ତ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଛି ।



