ପୁଞ୍ଚ୍ରେ ଆତଙ୍କବାଦୀ ଆକ୍ରମଣ : ୫ ଯବାନ ସହିଦ
ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ କିଛି ଦିନ ହେବ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତର ଅପରେସନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଜମ୍ମୁ ଓ କଶ୍ମୀର ପୁଞ୍ଚ୍ ସେକ୍ଟର୍ରେ ଚାଲିଥିବା ଆତଙ୍କବାଦୀ ଦମନ ଅଭିଯାନରେ ଗୁଳିବିନିମୟ ହୋଇଥିଲା । ଏଥିରେ ଭାରତୀୟ ସେନାର ୫ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୪ଜଣ ଯବାନ ଏବଂ ଜଣେ ‘ଜୁନିୟର୍ କମିସନ୍ ଅଫିସର୍’ (ଜେସିଓ) ରହିଛନ୍ତି। ଏବେ ମଧ୍ୟ ଆତ୍ମଗୋପନକାରୀ ଆତଙ୍କବାଦୀ ଦଳ ଓ ନିରାପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଚାଲିଛି।
A junior commissioned officer (JCO) & four soldiers killed in action during a counter-terrorist operation in the Rajouri sector in the Pir Panjal ranges: Sources
— ANI (@ANI) October 11, 2021
ସୂଚନା ଯେ, ପୁଞ୍ଛ ଜିଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ମୁଗଲ ରୋଡ୍ ନିକଟ ଚମରେର ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଜଣାପଡିଥିଲା । ଏହାପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୋମବାର ସକାଳୁ ହିଁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି । ଜଙ୍ଗଲରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଏନକାଉଣ୍ଟର ବେଳେ ସେନାର ୪ ଜଣ ଯବାନ ଏବଂ ଜଣେ ଜେସିଓ ମଧ୍ୟ ଗୁରୁତର ହୋଇଥିଲେ । ପରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
