ଆଇସିସିର ଅନୁମୋଦନ : ପ୍ରଥମଥର ଟି-୨୦ ବିଶ୍ୱକପରେ ବ୍ୟବହୃତ ହେବ ଡିଆରଏସ ନିୟମ
ନୂଆଦିଲ୍ଲୀ : ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପ୍ରଥମଥର ଡିସିଜନ୍ ରିଭ୍ୟୁ ସିଷ୍ଟମ୍ (ଡିଆରଏସ) ନିୟମର ଉପଯୋଗ କରାଯିବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହାର ବ୍ୟବହାରକୁ ଅନୁମୋଦନ ଦେଇଛନ୍ତି। ଆଇସିସି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଜାରି ଖେଳ ନିୟମରେ ଡିଆରଏସକୁ ମଧ୍ୟ ସାମିଲ୍ କରିଛି। ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ଖେଳାଯିବ। ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଟିମକୁ ପ୍ରତି ଇନିଂସରେ ଦୁଇଟି ଲେଖାଏ ଦୁଇଟି ଲେଖାଏ ଡିଆରଏସ୍ ସୁଯୋଗ ମିଳିବ। ଏହା ପୂର୍ବରୁ ଟି-୨୦ ବିଶ୍ୱକପରେ କେବେବି ଡିଆରଏସର ବ୍ୟବହାର କରାଯାଇନଥିଲା। ଶେଷଥର ଲାଗି ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପରେ ଡିଆରଏସର ଉପଯୋଗ କରାଯାଇନଥିଲା। ଆଇସିସିର କୌଣସି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଡିଆରଏସର ବ୍ୟବହାର ୨୦୧୮ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପରେ କରାଯାଇଥିଲା। ଏହା ପରେ ୨୦୨୦ରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପରେ ମଧ୍ୟ ଏହାର ଉପଯୋଗ କରାଯାଇଥିଲା।
ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ। ସୁପର୍-୧୨ର ମୁକାବିଲା ଗୁଡ଼ିକ ୟୁଏଇର ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ। ଏସବୁ ମ୍ୟାଚ୍ ଗୁଡ଼ିକ ଓମାନ୍ରେ ଅନୁଷ୍ଠିତ ହେବ। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ସୂଚନା ଯେ, କରୋନା ଯୋଗୁ ଗତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଥିଲା। ଏହି ବିଶ୍ୱକପ୍ ଆସନ୍ତାବର୍ଷ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି।
