ଦୁବାଇରେ ସ୍କାଏ ଡାଇଭିଂର ମଜା ନେଲେ ନୀରଜ
ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବେ ମାଳଦୀପ ଓ ଦୁବାଇରେ ଛୁଟି କଟାଉଛନ୍ତି । ମାଳଦୀପରେ କିଛି ଦିନ ରହିବା ପରେ ଦୁବାଇ ଯାଇ କିଛି ଦୁଃସାହସିକ କ୍ରୀଡ଼ାରେ ସାମିଲ ହେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ନୀରଜ ସେଠାରେ ସ୍କାଏ ଡାଇଭିଂ କରୁଥିବା ଦେଖିବାକୁ ମିଳୁଛି । ଏହାର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି ସେ । ଭିଡିଓଟିକୁ ପ୍ରକାଶ କରି ନୀରଜ ଲେଖିଛନ୍ତି ଯେ ଉଡ଼ାଜାହଜରୁ ଲମ୍ଫ ମାରିବା ପୂର୍ବରୁ ଡର ତ ଲାଗିଥିଲା, ହେଲେ ଏହା ପରେ ବହୁତ ମଜା ଆସିଥିଲା । ୨୩ ବର୍ଷୀୟ ନୀରଜ ଭିଡିଓ ମାଧ୍ୟମରେ ଦୁଃସାହସିକ କ୍ରୀଡ଼ା ଓ କାର୍ଯ୍ୟରେ ସାମିଲ ହେବାକୁ ଯୁବପିଢ଼ିକୁ ଆହ୍ୱାନ କରିଛନ୍ତି ।
