ରାଜ୍ୟରେ ଆଉ ୬୫୨ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୯୨ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ରବିବାର ୨୪ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୦ ଓ ସ୍ଥାନୀୟ ଅଞ୍ଚଳରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୨ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୬୯୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ଜଣେ ଥିବାବେଳେ ବାଲେଶ୍ୱରରୁ ୧୯ଜଣ, ବରଗଡ଼ରୁ ୩ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୭୦ଜଣ, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୬ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୧୫ଜଣ, ଯାଜପୁରରୁ ୧୦ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୨୬ଜଣ, ଖୋର୍ଦ୍ଧାରୁ ୩୩୧ଜଣ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୨୯ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୪ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୧୦ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୫ଜଣ ଓ ରାଜ୍ୟ ପୁଲରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୧ହଜାର ୬୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୧୮ହଜାର ୩୧୧ ଜଣ ସୁସ୍ଥ ହୋଇଥିବା ବେଳେ ୫ହଜାର ୦୮୩ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୬,୪୫,୨୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
