ଗାଇଡ୍ଲାଇନ ଜାରି : କୋଭିଡ୍ରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ପିଏମ କେୟାର୍ସ ଫର ଚିଲ୍ଡ୍ରେନ ଯୋଜନା, ମିଳିବ ଏତିକି ଅର୍ଥରାଶି
ନୂଆଦିଲ୍ଲୀ : କୋଭିଡ୍ରେ ବାପା, ମା’ଙ୍କୁ ହରାଇଥିବା ପିଲାଙ୍କୁ ପିଏମ କେୟାର୍ସ ଫର ଚିଲ୍ଡ୍ରେନ ଯୋଜନାରେ ସାମିଲ ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପକ୍ଷରୁ ଗାଇଡ୍ଲାଇନ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେ’ ମାସ ୩୦ ତାରିଖରେ ପ୍ରସ୍ତୁତ ଏହି ଯୋଜନାର ଗାଇଡ୍ଲାଇନ ରାଜ୍ୟ ସରକାରଙ୍କ ନିକଟକୁ ଆସିବାକୁ ୫ ମାସ ଲାଗିଯାଇଛି।
ଏହି ଯୋଜନା ଅନୁଯାୟୀ, କୋଭିଡ୍ ଯୋଗୁଁ ଉଭୟ ଅଭିଭାବକ କିମ୍ବା ବଞ୍ଚି ରହିଥିବା ଏକମାତ୍ର ଅଭିଭାବକ ହରାଇଥିବା ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ସ୍ବାସ୍ଥ୍ୟ ବୀମା, ଶିକ୍ଷା ସହିତ ଆତ୍ମନିର୍ଭରଶୀଳତା ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୩ ବର୍ଷ ହେବା ପରେ ଏହି ରାଶି ତାଙ୍କୁ ଦିଆଯିବ। ଗାଇଡ୍ଲାଇନ ଅନୁଯାୟୀ, ୨୦୨୦ ମାର୍ଚ୍ଚ ୧୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କୋଭିଡ୍ରେ ବାପା, ମା’ ଛେଉଣ୍ଡ ପିଲାଙ୍କୁ ଏଥିରେ ସାମିଲ କରାଯିବ। ଏଥି ଅନ୍ତର୍ଗତରେ ପ୍ରଥମତଃ ବାପା-ମା’ ଛେଉଣ୍ଡ ହେଉଥିବା ପିଲାଙ୍କୁ ଶିଶୁ କଲ୍ୟାଣ ସମିତିରେ ହାଜର ପରେ ଯୌଥ ପରିବାରର ଜଣଙ୍କ ପାଖରେ ରଖାଯିବା ଉଚିତ। ଏହା ସମ୍ଭବ ନହେଲେ ଫୋଷ୍ଟର କେୟାର, ବାଳାଶ୍ରମରେ ରଖାଯିବ। ପିଲାକୁ ୧୦ ବର୍ଷରୁ ଊର୍ଧ୍ବ ହୋଇଥିଲେ, ଯୌଥ ପରିବାର କିମ୍ବା ଫୋଷ୍ଟର କେୟାର ବ୍ୟବସ୍ଥା ହୋଇନପାରିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଏକଲବ୍ୟ ମଡେଲ ସ୍କୁଲ, ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ କେନ୍ଦ୍ର ସରକାରଙ୍କ ଆବାସିକ ବିଦ୍ୟାଳୟରେ ପଢ଼ିପାରିବେ। ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ବହି, ୟୁନିଫର୍ମ ବ୍ୟବସ୍ଥା କରାଯିବ। ପିଲାର ବୟସ ୬ ବର୍ଷରୁ କମ ହୋଇଥିଲେ, ଅଙ୍ଗନବାଡ଼ି କିମ୍ବା ସେହିଭଳି ପୋଷଣଯୁକ୍ତ କେନ୍ଦ୍ର ବ୍ୟବସ୍ଥା କରିପାରିବେ। ୧୧ରୁ ୧୮ ବର୍ଷ ବୟସ୍କ ପିଲା ନିଜ ଯୌଥ ପରିବାର ସହିତ ରହୁଥିଲେ ଜିଲ୍ଲାପାଳଙ୍କ ସୁପାରିଶରେ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଇପାରିବେ। ଉଚ୍ଚଶିକ୍ଷା ପାଇଁ ସେ ଋଣ ପାଇପାରିବେ। ବ୍ୟବସ୍ଥା ହୋଇଥିବା ୧୦ ଲକ୍ଷ ଟଙ୍କାରୁ ୧୮ ବର୍ଷ ହେବା ପରେ ପିଲାକୁ ଏହି ଟଙ୍କା ଷ୍ଟାଇପେଣ୍ଡ ଭାବରେ ମିଳିବ। ଯାହା ତାଙ୍କର ଶିକ୍ଷା ଏବଂ ବ୍ୟକ୍ତିଗତ ଖର୍ଚରେ କାମରେ ଆସିବ। ୨୩ ବର୍ଷ ହେବା ପରେ ବାକି ଟଙ୍କା ସେମାନଙ୍କୁ ମିଳିଯିବ। ଏଥିସହିତ ଏହି ଯୋଜନାରେ ଅନ୍ୟାନ୍ୟ ଅନେକ ବ୍ୟବସ୍ଥା ରହିଛି।
