ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିପାରନ୍ତି ହାର୍ଦ୍ଦିକ !
ଆବୁଧାବି : ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଯାନ ସମାପ୍ତ ହୋଇ ସାରିଛି । ଏଥିସହ ଟି-୨୦ ବିଶ୍ୱ କପ୍ରେ ସାମିଲ୍ ମୁମ୍ବାଇ ଇଣ୍ଡିଆନ୍ସର ୬ ଖେଳାଳିଙ୍କ ଫର୍ମକୁ ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇ ଯାଇଛି । ରୋହିତଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ରାହୁଲ ଚହର ଏବଂ ଯଶପ୍ରୀତ ବୁମରା ଟି-୨୦ ବିଶ୍ୱ କପ୍ ଦଳର ସଦସ୍ୟ ଅଛନ୍ତି । ସବୁଠୁ ଅଧିକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫର୍ମ ଏବଂ ଫିଟନେସ୍କୁ ନେଇ ଲାଗି ରହିଛି । ଏହା ମଧ୍ୟ କୁହାଯାଉଛି ଯେ, ଦଳରୁ ତାଙ୍କୁ ବାଦ୍ ଦିଆଯାଇପାରେ । ଏହାର କାରଣ ଆଇପିଏଲରେ ତାଙ୍କର ଖରାପ ପ୍ରଦର୍ଶନ । ପାଣ୍ଡ୍ୟା ବ୍ୟାଟିଂରେ ଦଳକୁ ନିରାଶ କରିଛନ୍ତି ଏବଂ ପୂରା ଟୁର୍ଣ୍ଣାମେଂଟରେ ମାତ୍ର ୧୨୭ ରନ କରିଛନ୍ତି । ତାଙ୍କର ବ୍ୟାଟିଂ ହାର ୧୪.୧୧ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୧୩.୩୯ ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ କହିଛନ୍ତି ଯେ, ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବଲ୍ ଫିଙ୍ଗି ନାହାନ୍ତି ।
ରୋହିତଙ୍କ ଏହି ବୟାନ ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି ଯେ, ହାର୍ଦ୍ଦିକ ଟି-୨୦ ବିଶ୍ୱ କପ୍ ପାଇଁ ଭାରତୀୟ ଦଳରେ ନିଜର ସ୍ଥାନ ବଜାୟ ରଖି ପାରିବେ କି ନାହିଁ ? ପାଣ୍ଡ୍ୟା ଆଇପିଏଲ ୨୦୨୧ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୦ ରନ କରିଥିଲେ । ମାତ୍ର ଟି-୨୦ ବିଶ୍ୱ କପ୍ ଉପରେ ନଜର ପକାଇଲେ ତାଙ୍କର ବୋଲିଂ ଫିଟନେସ୍ ଚିନ୍ତାର ବିଷୟ ପାଲଟିଛି । ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମୁକାବିଲାରେ ବାହାରେ ରହିବା ପରେ ହାର୍ଦ୍ଦିକ ମୁମ୍ବାଇ ପାଇଁ ଜଣେ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ୍ ହୋଇଥିଲେ । ହେଲେ ସେ ବୋଲିଂ କରିନଥିଲେ । ଏହା ପୂର୍ବରୁ ଭାରତରେ ଅନୁଷ୍ଠିତ ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ସେ ଗୋଟିଏ ହେଲେ ବଲ୍ ଫିଙ୍ଗିନଥିଲେ । ରୋହିତ କହିଛନ୍ତି, ଫିଜିଓ, ଟ୍ରେନର ଓ ମେଡିକାଲ୍ ଟିମ୍ ତାଙ୍କ ବୋଲିଂ ଉପରେ କାମ କରୁଛନ୍ତି । ମୋତେ ଯେତିକି ଜଣା ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବଲ୍ ବୋଲିଂ କରି ନାହାନ୍ତି । ଆମେ ଚାହୁଁଛୁ ଯେ, ସମୟ ଆସିଲେ ତାଙ୍କୁ ମ୍ୟାଚ୍?ରେ ଗୋଟିଏ ଓଭର ବୋଲିଂ କରାଇ ତାଙ୍କର ଫିଟନେସ୍ ପରୀକ୍ଷା ନିଆଯାଉ । ରୋହିତ କହିଛନ୍ତି, ଡାକ୍ତର ଓ ଫିଜିଓ ଏହି ବିଷୟରେ ଆମକୁ ସଠିକ୍ ରିପୋର୍ଟ ଦେଇ ପାରିବେ । ବ୍ୟାଟିଂ କ୍ରମରେ ହାର୍ଦ୍ଦିକ ଦଳକୁ କିଛିଟା ନିରାଶ କରିଛନ୍ତି, ମାତ୍ର ଆମକୁ ଜଣା ଯେ, ତାଙ୍କ ନିକଟରେ କଣ ଗୁଭବତ୍ତା ରହିଛି । ସେ ଜଣେ କ୍ୱାଲିଟି ଖେଳାଳି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଭାରତୀୟ ଦଳର ଉପ ଅଧିନାୟକ କହିଛନ୍ତି ।
