ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ପୀୟୂଷ ଚାୱଲା
ମୁମ୍ବାଇ: ଲେଗ ସ୍ପିନର ପୀୟୂଷ ଚାୱଲା ଭାରତ ପାଇଁ ଟି-୨୦ରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହେବାର ରେକର୍ଡ କରିଛନ୍ତି । ଶୁକ୍ରବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ଆଇପିଏଲର ୫୫ତମ ମ୍ୟାଚ୍ରେ ଚାୱଲା ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।
ମୁମ୍ବାଇ ପାଇଁ ଆଇପିଏଲରେ ଶୁକ୍ରବାର ଡେବ୍ୟୁ କରିଥିବା ଚାୱଲା ୯ମ ଓଭରରେ ହାଇଦ୍ରାବାଦର ମହମ୍ମଦ ନବିଙ୍କୁ ଆଉଟ କରିବା ପରେ ଅମିତ ମିଶ୍ରାଙ୍କୁ ପଛରେ ପକାଇ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି । ପୂର୍ବରୁ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ୧ନଂ ସ୍ଥାନରେ ଅମିତ ମିଶ୍ରା ରହିଥିଲେ । ସେ ୨୩୬ଟି ମ୍ୟାଚ୍ରେ ୨୬୨ଟି ୱିକେଟ ନେଇଛନ୍ତି । ହେଲେ ପୀୟୂଷ ଚାୱଲା ୨୪୯ଟି ମ୍ୟାଚ୍ରେ ୨୬୩ଟି ୱିକେଟ ନେଇ ୧ନଂ ସ୍ଥାନରେ ପହଂଚି ଯାଇଛନ୍ତି । ଉଭୟ ଚାୱଲା ଓ ଅମିତ ଆଇପିଏଲର ଟପ୍ ୫ ସର୍ବାଧିକ ୱିକେଟ ଦଖଲକାରୀ ବୋଲରଙ୍କ ତାଲିକାରେ ବି ରହିଛନ୍ତି । ଆଇପିଏଲରେ ଅମିତ ୧୬୬ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଚାୱଲା ୧୫୭ ୱିକେଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରରେ ଆଫଗାନିସ୍ତାନର ମହମ୍ମଦ ନବି ଗୋଟିଏ ମ୍ୟାଚରେ ୫ଟି କ୍ୟାଚ୍ ଧରି ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି । ଆଜି ଯାଏ କୌଣସି ନନ୍ ୱିକେଟ କିପର ପ୍ଲେୟାର କେବେ ହେଲେ ଗୋଟିଏ ମ୍ୟାଚରେ ଏକାକୀ ଏତେ ସଂଖ୍ୟକ କ୍ୟାଚ ଧରି ନଥିଲେ । ଶୁକ୍ରବାର ମ୍ୟାଚ୍ କଥା ବିଚାରକୁ ନେଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବଳରେ ୨୩୫ ରନ୍ କରିଥିଲା । ଏହାର ଜବାବରେ ହାଇଦ୍ରାବାଦ ୮ ୱିକେଟ ହରାଇ ୧୯୩ ରନ୍ କରିଥିଲା । ମୁମ୍ବାଇ ଏହି ମ୍ୟାଚ୍କୁ ୪୨ ରନ୍ରେ ଜିତିଥିଲେ ମଧ୍ୟ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ । ଦଳ ଯଦି ହାଇଦ୍ରାବାଦକୁ ୬୫ ରନ୍ ଭିତରେ ଅଟକାଇ ପାରିଥାଆନ୍ତା, ତା’ହେଲେ ପ୍ଲେଅଫ ଖେଳିବାର ସୁଯୋଗ ହାସଲ କରିଥାଆନ୍ତା ।
