ରାଜ୍ୟରେ ଆଉ ୫୨୬ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୬୮ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୨୫ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୦୩ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୮ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୦୪୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩ ଜଣ ଥିବାବେଳେ ବାଲେଶ୍ୱରରୁ ୩୩ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୬୩ଜଣ, ଦେଓଗଡ଼ରୁ ୩ଜଣ, ଗଞ୍ଜାମରୁ ୩ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୧୬ଜଣ, ଯାଜପୁରରୁ ୧୩ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ଖୋର୍ଦ୍ଧାରୁ ୨୩୩ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୯ଜଣ, ନୟାଗଡ଼ରୁ ୨ଜଣ, ପୁରୀରୁ ୧୧ଜଣ, ରାୟଗଡାରୁ ୨ ଜଣ, ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୯ଜଣ ଓ ରାଜ୍ୟ ପୁଲରୁ ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୧ହଜାର ୦୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୧୭ହଜାର ୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୫ହଜାର ୦୩୫ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୫,୭୮,୬୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।
