ଆଇପିଏଲ୍-୨୦୨୧ : ବିଜୟ ସତ୍ତ୍ୱେ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଲା ମୁମ୍ବାଇ
ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ପାଞ୍ଚ ଥରର ଆଇପିଏଲ୍ ଚାମ୍ପିୟନ ତଥା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ପ୍ଲେ-ଅଫ୍ ଦୌଡ଼ରୁ ଆଉଟ୍ ହୋଇଯାଇଛି । ଏଥିସହିତ ମୁମ୍ବାଇର ହାଟ୍ରିକ୍ ଚାମ୍ପିୟନ ହେବାର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋହିତ ଶର୍ମାଙ୍କ ଟିମ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡିଛି । ପ୍ଲେ ଅଫ୍ରୁ ବାଦ୍ ପଡିଲେ ବି ନିଜର ଶେଷ ଲିଗ୍ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ମନ ଜିଣିଲା ମୁମ୍ବାଇ ଇଣ୍ଡିଆନ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ୪୨ ରନରେ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହି ଆଇପିଏଲ ୨୦୨୧ରେ ନିଜର ଅଭିଯାନ ଶେଷ କରି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଓପନର ବ୍ୟାଟସମ୍ୟାନ ଇଶାନ କିଶନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ଦେଖି ଚାହିଁ ବ୍ୟାଟିଂ କରିଥିବା ବେଳେ ଇଶାନ ଚୌକା ଓ ଛକା ବର୍ଷା କରିଥିଲେ। ମାତ୍ର ୧୬ ବଲ୍ରୁ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଚଳିତ ଆଇପିଏଲର ଦ୍ରୁତତମ ଅର୍ଦ୍ଧଶତକ। ପ୍ରଥମ ଓ୍ଵିକେଟ୍ରେ ଇଶାନ ଓ ରୋହିତ ୫.୩ ଓଭରରେ ୮୦ ରନ ଯୋଡିଥିଲେ। ଏହା ପରେ ରୋହିତ(୧୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୦) ଆଉଟ୍ ହୋଇଥିଲେ। ଅନ୍ୟପଟେ ଇଶାନ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ଇଶାନ କିଶନ ମାତ୍ର ୩୨ ବଲରୁ ୧୧ ଚୌକା ଓ ୪ ଛକା ଜରିଆରେ ୮୪ ରନର ସ୍ମରଣୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଇଶାନ କିଶନ ଇନିଂସକୁ ଯେଉଁଠି ଛାଡିଥିଲେ ସେଠାରୁ ସୂର୍ଯ୍ୟକୁମାର ଯାଦବ ଦଳର ଇନିଂସକୁ ଆଗେଇ ନେଇଥିଲେ। ଟି-୨୦ ବିଶ୍ଵ କପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସେ ପଡିଆର କୋଣ ଅନୁକୋଣରେ ବାଉଣ୍ଡରୀ ବର୍ଷା କରିଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ରନ ଗତି ଧିମା ହେବାକୁ ଦେଇନଥିଲେ। ସେ ୪୦ ବଲ୍ରୁ ୧୩ ଚୌକା ଓ ୩ ଛକା ସହ ୮୨ ରନ କରି ଦଳର ସ୍କୋରକୁ ୨୩୫ ରନରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା(୧୦), କିରଣ ପୋଲାର୍ଡ(୧୩), କୃଣାଲ ପାଣ୍ଡ୍ୟା(୯) କରିଥିଲେ।
୨୩୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଜାସନ ରୟ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଉଭୟ ୫.୨ ଓଭରରେ ୬୪ ରନ ଯୋଡିଥିଲେ। ହେଲେ ଏହି ଯୋଡି ଭାଙ୍ଗିବା ସହ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜାସନ ରୟ ୩୪ ଏବଂ ଅଭିଷେକ ଶର୍ମା ୩୩ ରନର ଇନିଂସ ଖେଳିଥିଲେ। ମନୀଷ ପାଣ୍ଡେ ଗୋଟିଏ ଗୋଟିଏ ପାର୍ଶ୍ଵରେ ଦଳର ଇନିଂସ ସମ୍ଭାଳିଥିଲେ। ମଧ୍ୟକ୍ରମ ମହମ୍ମଦ ନବି(୩), ଅବଦୁଲ ସାମଦ(୨) ବିଫଳ ହୋଇଥିବା ବେଳେ ପ୍ରିୟମ ଗର୍ଗ(୨୯) କରିଥିଲେ। ମନୀଷ ପାଣ୍ଡେ ୪୧ ବଲ୍ରୁ ୭ ଚୌକା ଓ ୨ ଛକା ସହ ୬୯ ରନରେ ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାସନ ହୋଲଡର(୧), ରଶିଦ ଖାନ(୯), ଋଦ୍ଧିମାନ ଶାହା(୨) ରନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜେମ୍ସ ନିଶାନ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଡ ଓ ପିୟୂଷ ଚାଓ୍ଵଲାଙ୍କ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
