ଆଇପିଏଲ୍-୨୦୨୧ : ଆର୍ସିବି ଆଗରେ ୧୬୫ ରନ୍ର ଟାର୍ଗେଟ ରଖିଲା ଦିଲ୍ଲୀ
ଦୁବାଇ: ପୂର୍ବରୁ ପ୍ଲେ ଅଫରେ ସ୍ଥାନ ପକ୍କା କରି ସାରିଥିବା ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନ୍ର ଟାର୍ଗେଟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆରସିବି ଭଳି ଦିଲ୍ଲୀ ମଧ୍ୟ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି । ଏଥିସହ ୧ନଂ ସ୍ଥାନରେ ରହିଛି ।
ଏହି ମ୍ୟାଚ୍ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ ବିରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୬୫ ରନ୍ର ଟାର୍ଗେଟ ମିଳିଛି । ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବିରାଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ । ତେବେ ଦିଲ୍ଲୀର ଦୁଇ ଓପନର ଶିଖର ଧୱନ ଏବଂ ପୃଥ୍ୱୀ ଶ’ ବିସ୍ଫୋରକ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୧୦ ଓଭର୍ରେ ଦଳ ପାଇଁ ୮୮ ରନ୍ ଯୋଡ଼ିଥିଲେ । ଏହି ସମୟରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହର୍ଷଲ ପଟେଲ ଆରସିବିକୁ ପ୍ରଥମ ସଫଳତା ଦେଇଥିଲେ । ସେ ୩୫ ବଲରେ ୪୩ ରନ୍ କରିଥିବା ଶିଖର ଧୱନଙ୍କୁ ଆଉଟ କରିଦେଇଥିଲେ । ଏହାର ପରବର୍ତୀ ଓଭର୍ରେ ୟୁଜବେନ୍ଦର ଚହଲ ବିସ୍ଫୋରକ ପୃଥ୍ୱୀ ଶ’(୪୮)ଙ୍କୁ ଆଉଟ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଆଉଟ ହେବା ପୂର୍ବରୁ ସେ ୨ଟି ଛକା ଓ ୪ଟି ଛକା ମାରିଥିଲେ । ସେହିପରି ଧୱନ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି । ୧୦୧ରେ ଦ୍ୱିତୀୟ ୱିକେଟ ହରାଇଥିବା ଦିଲ୍ଲୀ ୧୦୮ରେ ତୃତୀୟ ୱିକେଟ ହରାଇଥିଲା । ଅଧିନାୟକ ପନ୍ତ ମାତ୍ର ୧୦ ରନ୍ କରି ଡାନିଏଲ ଖ୍ରୀଷ୍ଟିଆନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ନିର୍ଭରଯୋଗ୍ୟ ଶ୍ରେୟସ ଆୟର (୧୮) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ତାଙ୍କ ୱିକେଟ ସିରାଜ ନେଇଥିଲେ । ଶ୍ରେୟସ ଆଉଟ ହେବା ପରେ ଶିମରନ ହେଟମେୟର ନିଜର ଜଲୱା ଦେଖାଇଥିଲେ । ସେ ଆରସିବି ଉପରେ କାଉଂଟର ଆଟାକ କରିଥିଲେ । ତାଙ୍କୁ ଯୁବ ତାରକା ରିପାଲ ପଟେଲ ସହଯୋଗ କରିଥିଲେ । ଉଭୟ ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ । ହେଟମେୟର ଶେଷ ବଲରେ ଆଉଟ ହୋଇଥିବା ବେଳେ ରିପାଲ ୭ ରନ୍ କରି ଅପରାଜିତ ରହିଥିଲେ । ହେଟମେୟର ଆଉଟ ହେବା ପୂର୍ବରୁ ୨୨ ବଲ୍?ରେ ୨ଟି ଛକା ଓ ୨ଟି ଚୌକା ବଳରେ ୨୯ ରନ କରିଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିବା ବେଳେ ଚହଲ, ହର୍ଷଲ ଓ ଖ୍ରୀଷ୍ଟିଆନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି ।
