ସାବତ ଝିଅକୁ ବଳାତ୍କାର ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ
ସୁନ୍ଦରଗଡ଼ : ସାବତ ଝିଅକୁ ବଳାତ୍କାର ଓ ଗର୍ଭପାତ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଆଜି ସାବତ ବାପା ରାଜେଶ ବଡ଼ାଇକ ଓରଫ୍ ଦିଲ ଫିରୋଜ ଖାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ରଘୁନାଥପାଲ୍ଲି ଥାନା ଅନ୍ତର୍ଗତ ରାଉରକେଲାର ଏକ ବସ୍ତିରୁ ୨୦୧୩ ଅଗଷ୍ଟ ୬ରେ ଆସିଥିବା ଏହି ସମ୍ବେଦନଶୀଳ ଅଭିଯୋଗ ସେତେବେଳେ ସାରା ଜିଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ବସ୍ତି ଅଞ୍ଚଳରେ ଥିବା ଏକ ଉଚ୍ଚ ପ୍ରାଥମିକ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅର ବାପାଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ମା’ ରାଜେଶ ବଡ଼ାଇକ ଓରଫ ଦିଲ୍ ଫିରୋଜ ଖାନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଘରେ ରହିବା ମଧ୍ୟରେ ସାବତ ବାପା ରାଜେଶଙ୍କ କୁନଜର ସେ ନାବାଳିକା ଝିଅ ଉପରେ ପଡ଼ିଥିଲା। ସୁଯୋଗ ଉଣ୍ଡି ସେ ସାବତ ଝିଅକୁ ଦୁଷ୍କର୍ମ କରିଥିଲା। ଏହା ପରେ ଜୀବନରେ ମାରିଦେବାର ଧମକ ଦେଇ ୪ ବର୍ଷ ଧରି ଦୁଷ୍କର୍ମ କରି ଚାଲିଲେ। ଲୋକଲଜ୍ଜା ଓ ଜୀବନ ଯିବା ଭୟରେ ଝିଅ କାହାକୁ କିଛି କହୁ ନଥିଲେ। ବାରମ୍ବାର ଦୁଷ୍କର୍ମ ଯୋଗୁଁ ସେ ଗର୍ଭବତୀ ହୋଇପଡ଼ିଲେ। ଏହା ପରେ ସାବତ ବାପା ତାଙ୍କୁ ନେଇ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ଯେଉଁଠି ଏକ ମୃତ ଶିଶୁ ଜନ୍ମ ନେଇଥିଲା। ସାବତ ବାପାଙ୍କ ଅତ୍ୟାଚାରରେ ଅତିଷ୍ଠ ଝିଅ ଘର ଛାଡ଼ି ନିଜ ସାଙ୍ଗ ଘରେ ଦୁଇ ବର୍ଷ ରହିଲା, ହେଲେ ଜହ୍ଲାଦ ରାଜେଶ ପିଛା ଛାଡ଼ି ନଥିଲା। ସେ ସାଙ୍ଗଙ୍କ ଘରୁ ତାଙ୍କୁ ନେଇ ଶାନ୍ତିଭବନରେ ରଖିଲା। ଘଟଣା ଦିନ ଅର୍ଥାତ ୨୦୧୩ ଅଗଷ୍ଟ ୬ରେ ସେ ସ୍କୁଲରେ ଥିବା ବେଳେ ରାଜେଶ ଆସି ତାଙ୍କୁ ଜୋର୍ କରି ଘରକୁ ନେଇ ଯିବାକୁ ଚେଷ୍ଟା କରିଥିଲା। ହେଲେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ମନା କରି ଏକ ସାଧନକେନ୍ଦ୍ରସ୍ତରୀୟ ବୈଠକରେ ଥିବା ପ୍ରଧାନଶିକ୍ଷକଙ୍କୁ ସୂଚନା ଦେଇଥିଲେ। ପ୍ରଧାନଶିକ୍ଷକ ତୁରନ୍ତ ସ୍କୁଲକୁ ପହଞ୍ଚିବା ପରେ ଝିଅଟି ସାବତ ବାପାଙ୍କ ଦୁଷ୍କର୍ମ ଓ ଅତ୍ୟାଚାର ସମ୍ପର୍କରେ କହିଥିଲେ। ଏହା ପରେ ପ୍ରଧାନଶିକ୍ଷକ ରଘୁନାଥପାଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୁଲିସ ପୀଡ଼ିତା ଝିଅଙ୍କ ବୟାନ ଆଧାରରେ ଭାରତୀୟ ଦଣ୍ଡବିଧି ଧାରା ୩୭୬, ୩୧୩,୩୨୩, ୫୦୬ ଓ ୬ ଶିଶୁ ଯୌନ ନିର୍ଯାତନା ଅପରାଧ ନିବାରଣ ଆଇନରେ ମାମଲା ରୁଜୁ କରିବା ସହ ସାବତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁନ୍ଦରଗଡ଼ ପକ୍ସୋ କୋର୍ଟରେ ମାମଲା ବିଚରାଧୀନ ଥିବା ବେଳେ ସ୍ବତନ୍ତ୍ର ପକ୍ସୋ ଜଜ୍ ପାର୍ଥ ସାରଥୀ ପଟ୍ଟନାୟକ ଅକ୍ଟୋବର ୫ରେ ଜବାବ ସୁଆଲ ପରେ ୮ ତାରିଖରେ ରାୟ ପ୍ରକାଶ କରିଥିଲେ। ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ମାମଲାର ପରିଚାଳନା କରିଥିଲେ।
