ବାଲେଶ୍ୱରରେ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ବ୍ରିଟ୍ କଲ୍ୟାଣ ମଣ୍ଡପ ଠାରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲାର ୧୩୩୨ଜଣ ହିତାଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ୫୯.୨୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଭାରତ ସରକାରଙ୍କ ଅଧୀନ ଅର୍ଥନୈତିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା ଅଗ୍ରଣୀ ବ୍ୟାଙ୍କ ୟୁକୋ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ସହଯୋଗରେ ଆୟୋଜିତ ଏହି ଋଣ ପ୍ରଦାନ ଶିବିରକୁ ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରି ସମ୍ପ୍ରତି ବ୍ୟାଙ୍କ ସେବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଥିବା ମତବ୍ୟକ୍ତ କରିଥିଲେ । ପୂର୍ବରୁ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ମଧ୍ୟ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏବେ ତାହା ଅତ୍ୟନ୍ତ ସରଳ ହୋଇପାରିଥିବା ସେ କହିଥିଲେ । ବ୍ୟାଙ୍କ ଋଣ ପାଇବା ମଧ୍ୟ ଏବେ ସହଜ ହୋଇପାରିଛି । ତେବେ ଋଣ ପାଇବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାଗଜପତ୍ର ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ବ୍ୟାଙ୍କମାନେ ସଚେତନ କରିବାର ଆବଶ୍ୟକତା ରହିଛି ଯଦ୍ଦ୍ୱାରା ନିଜର ବ୍ୟବସାୟ ଆରମ୍ଭ କରିବା କିମ୍ବା ଏହାକୁ ବଢାଇବାକୁ ଚାହୁଁଥିବା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ । ସରକାରୀ ସ୍କିମ୍ରେ କମ୍ ସୁଧ ବା ସବ୍ସିଡ଼ିରେ ଜନସାଧାରଣ ଋଣ ପାଇପାରିବେ । ତେଣୁ ଏ ଦିଗରେ ପଦକ୍ଷେପ ନେବା ସହ ବାଲେଶ୍ୱର ଜିଲାର ଜନସାଧରଣଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କମାନେ ଋଣ ପ୍ରଦାନ ଲାଗି ଆଗେଇ ଆସିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଆହ୍ୱାନ ଦେଇଥିଲେ ।
ୟୁକୋ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଲଲାଟେନ୍ଦୁ ବେହେରା, ନାବାର୍ଡ ଜିଲା ଉନ୍ନୟନ ଅଧିକାରୀ ତାପସ ରଞ୍ଜନ ପ୍ରଧାନ, ୟୁନିଅନ ବ୍ୟାଙ୍କ କ୍ଷେତ୍ରୀୟ ପ୍ରବନ୍ଧକ ଶଙ୍କର ହେମ୍ବ୍ରମ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ, ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ମହାପାତ୍ର, ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ଋଣ ଏବଂ ସବସିଡି ଉପରେ ଅତିଥିମାନେ ଆଲୋକପାତ କରିଥିଲେ । କରୋନା ମହାମାରୀ ସମୟରେ ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ସରକାରଙ୍କ ଘୋଷିତ ପ୍ରୋତ୍ସାହନ ସ୍କିମକୁ କାର୍ଯ୍ୟକାରୀ କରିବା ଏବଂ ଏହାକୁ ଗ୍ରାହକ ଓ ସର୍ବସାଧାରଣଙ୍କୁ ଉପଲବ୍ଧ କରାଇବା ଏଭଳି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ । ମୁଖ୍ୟତଃ କୃଷି, ଅଣୁ ଓ କ୍ଷୁଦ୍ର ଶିଳ୍ପ, ଗୃହ ଋଣ, ଗୋଷ୍ଠୀ ଋଣ ଇତ୍ୟାଦିକୁ ଅଗ୍ରାଧିକାର ଦେବା ସହିତ ଖାଉଟି ଉପଭୋକ୍ତା ଋଣ, ଅଟୋମୋବାଇଲ ଋଣକୁ ପ୍ରାଧାନ୍ୟ ଦେବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ଦ୍ୱାରା ଅର୍ଥନୈତିକ ଅଗ୍ରଗତି ସହିତ ରୋଜଗାରର କ୍ଷେତ୍ର ମଧ୍ୟ ସୃଷ୍ଟି ହୋଇପାରିବ । ଶିବିରରେ ବିଭିନ୍ନ ସରକାରୀ ପ୍ରାୟୋଜିତ ସ୍କିମ ଯଥା- ପିଏମଇଜିପି, ମୁଦ୍ରା ଋଣ, ପିଏମ ଷ୍ଟ୍ରିଟ୍ ଭେଣ୍ଡର, ପିଏମ ଖାଦ୍ୟ ପ୍ରକ୍ରିୟାକରଣ, ପିଏମ କିଶାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଋଣ ପାଇଁ ହୋଇଥିବା ଆବେଦନକୁ ପ୍ରାଥମିକତା ଭିତିରେ ବିଶ୍ଲେଷଣ କରି ଋଣ ପ୍ରଦାନ ନିମନ୍ତେ ସୁବ୍ୟବସ୍ଥା କରାଯାଇଥିଲା । ଶିବିରରେ ବିଭିନ୍ନ ସାମାଜିକ ସୁରକ୍ଷା ସ୍କିମ ଯଥା- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ୍ ଯୋଜନାରେ ଗ୍ରାହକଙ୍କୁ ଅନୁବନ୍ଧିତ କରିବା, ଡିଜିଟାଲ ଦେଣନେଣକୁ ପ୍ରୋତ୍ସାହନ ଦେବା ଏବଂ ନିରାପତା ସତର୍କତା ଅବଲମ୍ବନ କରିବା, ଆର୍ଥିକ ଅନୁଶାସନ ପାଳନ କରିବା ଇତ୍ୟାଦି ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା । ଶିବିରରେ ଜିଲାରେ କାର୍ଯ୍ୟରତ ପ୍ରାୟ ୨୫ଟି ସରକାରୀ, ବେସରକାରୀ ବ୍ୟାଙ୍କ ଅଂଶଗ୍ରହଣ କରି ନିଜ ନିଜ ଷ୍ଟଲ ମାଧ୍ୟମରେ ବ୍ୟାଙ୍କ ସ୍କିମ୍ଗୁଡିକର ପ୍ରଦର୍ଶନ କରିଥିଲେ । ଗ୍ରାହକମାନଙ୍କୁ ସରଳ ଭାବରେ ବ୍ୟାଙ୍କ ଋଣ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ସେବା ସମ୍ପର୍କରେ ବୁଝାଇଥିଲେ । ଏଥିରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦୃଶ୍ୟଶ୍ରାବ୍ୟ ଫଳକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୭ତାରିଖ ଦିନ ଏଭଳି ଆଉ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହେବ । ତେବେ ଏଭଳି ଶିବିର ଆୟୋଜନର ପ୍ରଚାର, ପ୍ରସାର ସହିତ ବ୍ୟାଙ୍କ ଗ୍ରାହକ ଓ ଜନସାଧାରଣ ଏଥିରେ ଅଂଶଗ୍ରହଣ କରି ଏହାର ସୁଯୋଗ ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁଦୀପ ଡାକୁଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
୧- ବାଲେଶ୍ୱର- ଶୁକ୍ରବାର- ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ


