ଗୋରୁପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା କୋଡାକଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ ପଶି ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ନୀଳ ଗିରି (୨୮) । ସେହିପରି ଅଭିଯୁକ୍ତ ଚଷା ଦେହୁରୀକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଗୁରୁବାର ଅପରାହ୍ନରେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନୀଳ ଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉଥିଲେ । ତେବେ ଗୋରୁ ପଲରୁ କିଛି ଗାଈ ଚଷା ଦେହୁରୀଙ୍କ ଘର ଅଗଣାରେ ଚାଷ କରିଥିବା ବିରି ବାଡିରେ ପଶି ବିରି ଖାଇ ଦେଇଥିଲେ । ଗୋରୁ ପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆରେ ପ୍ରଥମେ ଆକ୍ରମଣ କରିଥିଲା ଏହି ସମୟରେ ସାଗୁ ଓ ଜଗଦୀଶ ଜଂଗଲକୁ ଦୌଡ଼ି ପଳାଇଥିଲେ । ପରେ ନୀଳ ଓ ଚଷାର କିଛି ସମୟ ସଂଘର୍ଷ ହୋଇଥିଲା । ଉଭୟ ଉଭୟଙ୍କୁ ପ୍ରତି ଆକ୍ରମଣ କରିବା ପରେ ଚଷା ନୀଳକୁ ଏକ ଚଢେଇ ମରା ବାଟୁଳିରେ ତୀର ଲଗାଇ ଆକ୍ରମଣ କରିଥିଲା । ଫଳରେ ତୀରଟି ନୀଳର ପେଟରେ ପଶି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା । ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଚଷାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
