ଆଇପିଏଲ-୨୦୨୧ : ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଚେନ୍ନାଇକୁ ୬ ଉଇକେଟରେ ହରାଇଲା ପଞ୍ଜାବ
ଦୁବାଇ : ଆଇପିଏଲ୍ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ସହଜ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ୍ । ଫଳରେ ଚେନ୍ନାଇ ଲଗାତାର ତୃତୀୟ ପରାଜୟର ଶିକାର ହୋଇଛି ।
ଏଥିରେ ଟସ ଜିତି ପଞ୍ଜାବ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି ସିଏସ୍କେ । ଓପନର ଫାଫ୍ ଡୁ ପ୍ଲେସୀଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି ଦଳ । ଚେନ୍ନାଇ ପକ୍ଷରୁ ଓପନର ଫାଫ୍ ଡୁ ପ୍ଲେସୀ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟମାନେ ନିରାଶ କରିଛନ୍ତି । ଡୁ ପ୍ଲେସୀ ୫୪ ବଲରୁ ୮ ଚୌକା ଏବଂ ୨ ଛକା ସହାୟତାରେ ୭୬ ରନ କରି ଆଉଟ ହୋଇଛନ୍ତି । ଋତୁରାଜ ଗାୟକ୍ବାଡ୍ ମାତ୍ର ୧୨ ରନ କରି ଆଉଟ ହୋଇଥିବାବେଳେ, ମୋଇନ ଅଲ୍ଲୀ ୦, ରବିନ ଉତ୍ଥପା ୨, ଅମ୍ବାତି ରାୟୁଡୁ ୪, ଏମ୍ଏସ୍ ଧୋନୀ ୧୨ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ୧୫ ରନ ଏବଂ ଡ୍ବେନ୍ ବ୍ରାଭୋ ୪ ରନ କରି ଅପରାଜିତ ଅଛନ୍ତି । ପଞ୍ଜାବ ପକ୍ଷରୁ ମହମ୍ମଦ ସାମୀ ୪ ଓଭରରେ ୨୨ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ହରପ୍ରୀତ ସିଂହ ୪ ଓଭରରେ ୨୨ରନ, ଅର୍ଷଦୀପ ସିଂହ ୪ ଓଭରରେ ୩୫ ରନ ୨ ଓ୍ବିକେଟ, କ୍ରିସ୍ ଜୋର୍ଡନ୍ ୩ ଓଭରରେ ୨୦ରନ ୨ ଓ୍ବିକେଟ୍, ରବି ବିଷ୍ଣୋୟୀ ୪ ଓଭରରେ ୨୫ ରନ ୧ ଓ୍ବିକେଟ ଏବଂ ମୋସେ୍ ହେନରିକସ୍ ୧ ଓଭରରେ ୯ରନ ଦେଇଛନ୍ତି ।
୧୩୫ ରନର ପିଛା କରିବାକୁ ଯାଇ ମାତ୍ର ୧୩ ଓଭରରେ ୧୩୯ ରନକରି ଲକ୍ଷ୍ୟ ହାସଲ କରିନେଇଛି ପଞ୍ଜାବ କିଙ୍ଗସ୍ । ଦଳ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ବିସ୍ଫୋରକ ବ୍ୟାଟିଂକରି ଚେନ୍ନାଇ ଉପରେ ଏକା ଭାରି ପଡିଥିଲେ । ଯାହା ଫଳରେ ୪୨ ବଲ ଏବଂ ହାତରେ ୬ ଓ୍ବିକେଟ ବାକିଥାଇ ମ୍ୟାଚ୍ ବିଜୟୀ ହୋଇଛି ପିବିକେଏସ୍ ।ପଞ୍ଜାବ ପାଇଁ ୧୩୫ର ବିଜୟ ଲକ୍ଷ୍ୟ ଥିବା ବେଳେ ଅଧିନାୟକ ଲୋକେସ ରାହୁଲ ଏକାକି ୯୮ ରନ କରି ଅପରାଜିତ ଅଛନ୍ତି । ପଞ୍ଜାବ କିଙ୍ଗସ୍ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ବିସ୍ଫୋରକ ଆରମ୍ଭ କରିଥିଲେ । ମୟଙ୍କ ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟପଟେ କେଏଲ୍ ରାହୁଲ ଦମଦାର ସଟ୍ମାନ ଖେଳିଥିଲେ । ସେ ମାତ୍ର ୪୨ ବଲରୁ ୭ ଚୌକା ଏବଂ ୮ ଛକା ବଳରେ ୯୮ ରନ କରି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସର୍ଫରାଜ୍ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଶାହାରୁଖ ଖାନ ୮ ଏବଂ ମାର୍କରମ୍ ୧୩ ରନକରି ଆଉଟ ହୋଇଛନ୍ତି । ମୋସେସ୍ ହେନରିକ୍ସ ୩ ରନକରି ଅପରାଜିତ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ର ବୋଲରମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ଦଳ ପକ୍ଷରୁ କୌଣସି ଜଣେ ବି ବୋଲର ଭଲ ବୋଲିଂ କରିବାକୁ ସକ୍ଷମ ହୋଇନାହାନ୍ତି । ଦୀପକ ଚହର ୪ ଓଭରରେ ୪୮ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଜୋସ୍ ହେଜେଲଉଡ୍ ୩ ଓଭରରେ ୨୨ରନ, ଶାର୍ଦ୍ଦୁଳ ଠାକୁର ୩ ଓଭରରେ ୨୮ରନ ୩ ଓ୍ବିକେଟ, ରବୀନ୍ଦ୍ର ଜାଡେଜା ୧ ଓଭରରେ ୯ ରନ ଏବଂ ଡ୍ବେନ୍ ବାଭ୍ରୋ ୨ ଓଭରରେ ୩୨ ରନ ଦେଇଛନ୍ତି ।
