ରେମୁଣା ଡ୍ରିଗୀ କଲେଜରେ କ୍ଲଷ୍ଟରସ୍ତରୀୟ ଯୁବ ରେଡ଼କ୍ରସ ତାଲିମ ଶିବିର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଡ୍ରିଗୀ କଲେଜ ପରିସରରେ କ୍ଲଷ୍ଟରସ୍ତରୀୟ ଯୁବ ରେଡ଼କ୍ରସ୍ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷା ଜୟନ୍ତୀ ନାୟକ ଅଧ୍ୟକ୍ଷତା କରିଥିଲେ । ଉଦ୍ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ରେମୁଣା ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡ଼ିର ପୂର୍ବତନ ସଭାପତି ପ୍ରଦୀପ୍ତ ପଣ୍ଡା ରେଡ଼କ୍ରସ୍ ଧ୍ୱଜା ଉଡ଼ାଇ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରେମୁଣା ହାୟାର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ହରିଶ ଚନ୍ଦ୍ର ବାଗ ଓ ରେମୁଣା ହାୟାର ସେକେଣ୍ଡାରୀ ସ୍କୁଲର ରେଡ଼କ୍ରସ କାଉନସିଲର ଡ. ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ପ୍ରାଥମିକ ସହାୟତାର ଉପଯୋଗିତା, ରେଡ଼କ୍ରସ୍ର ଲକ୍ଷ୍ୟ ‘ମାନବ ସେବା ହିଁ ମାଧବ ସେବା’କୁ ଗୁରୁତ୍ୱ ଦେଇ ମତ ରଖିଥିଲେ ।
ପ୍ରଶିକ୍ଷଣର ପ୍ରଥମ ସୋପାନରେ ରିସୋର୍ସପର୍ସନ ରେଡ଼କ୍ରସ୍ ଜିଲା କୋଡ଼ିନେଟର ସୁଧିର ମୁଦୁଲି ତଥା ଦ୍ୱିତୀୟ ସୋପାନରେ ଜିଲା ଆସିଷ୍ଟାଣ୍ଟ ଏମ୍ଭିଆଇ ନେତ୍ରାନନ୍ଦ ମିଶ୍ର ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରରେ ବିଭିନ୍ନ କଲେଜର ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ଶିବିର ୩ଦିନ ଧରି ଆୟୋଜିତ ହେବ । ଡିଗ୍ରୀ କଲେଜର କାଉନସିଲର ଅଧ୍ୟାପକ ଆଶିଷ କୁମାର ଚୌଧୁରୀ ଧନ୍ୟବାଦ ଦେଇଥିଲେ ।


